Unknown

 

 

 

 

 

 

 

 

 

 

ଉଦ୍ଦଣ୍ଡୀ

ଶ୍ରୀ କାହ୍ନୁଚରଣ ମହାନ୍ତି

 

ଦିନ ଦୁଇଟା । ସଜା ହୋଇଛି କୋଠରୀଟି ।

 

ମିନତି, ଷୋଳ ସତର ବର୍ଷର ସୁନ୍ଦର ସବଳ ଝିଅଟିଏ, ଗୋଡ଼ ଟିପି ଟିପି ଆସି ଉଁକିମାରି ଘର ଭିତରକୁ ଚାହିଁଲା । କେହି ନାହିଁ ଦେଖି ତା’ର ମୁହଁରେ ହସ ଖେଳିଗଲା । ଘର ଭିତରକୁ ପଶି ବିଜୁଳି ପଙ୍ଖାଟି ସାମାନ୍ୟ ଖୋଲି ଚଉକିରେ ବସିଲା । ଟେବୁଲ ଉପରେ ଏଣେତେଣେ ବିଞ୍ଚା ହୋଇ ପଡ଼ିଥିବା କେତେ ଖଣ୍ଡ ବହି ସଜାଡ଼ି ରଖିଲା । ଟେବୁଲଟି ଭଲକରି ଝାଡ଼ି ଫ୍ଲାଓ୍ୱାରଭେସ୍‌ଟି ସଜାଇ ଦେଲା । ହଠାତ୍‌ ନଜର ପଡ଼ିଲା କାନ୍ଥ ଉପରେ ଟଙ୍ଗା ହୋଇଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟିକ ଉପରେ । ହାତ ଅଟକି ଗଲା । ମୁହଁରେ ଆଗ୍ରହର ହସ ଉଠୁ ଉଠୁ ମଉଳି ଗଲା । ଧୀରେ ଧୀରେ ଚଉକିଟି କାନ୍ଥ ପାଖକୁ ଟାଣି ନେଇ ତାହା ଉପରେ ଠିଆ ହୋଇ, ଫଟୋଟିକୁ ହାତ ବଢ଼ାଉ ବଢ଼ାଉ ଭୀତିଜଡ଼ିତ ଆଖିରେ ଖଞ୍ଜା ଭିତର କବାଟ ଆଡ଼କୁ ଚାହିଁ ପୁଣି କଅଣ ଭାବି ଚଉକି ଉପରୁ ଓହ୍ଲାଇ ପଡ଼ିଲା ତଳକୁ । ଟିକିଏ ଅସ୍ଥିର ହୋଇ ଦ୍ୱାର ମୁହଁକୁ ଆସି ମୃଦୁ କଣ୍ଠରେ ଡାକିଲା,-ରାମା, ରାମା ।

 

ଅଗଣାରୁ ଉତ୍ତର ଆସିଲା, ଆଜ୍ଞା ।

ଶୁଣି ଯା ।

 

ମିନତି ଝାଡ଼ଣ ଖଣ୍ଡି ଧରି ପୁଣି ଟେବୁଲ ଝାଡ଼ିବାକୁ ଆରମ୍ଭ କଲା । ଏଗାର ବାର ବର୍ଷର ଚାକର ଟୋକାଟି ଧୀରେ ଧୀରେ ପାଖକୁ ଆସିଲା ।

 

ମୋତେ ଡାକୁଥିଲ ଦେଇ ?

 

ଝାଡ଼ଣଟାକୁ ତଳେ ପକାଇ ହଠାତ୍‌ ରାମାର କାନ ଧରି କହିଲା ମିନତି, ହଁରେ ହଁ, ଭାଇଙ୍କ ବହିପତ୍ର ସବୁ ସଜାଡ଼ି ରଖିନୁ କାହିଁକି ? ଅନେଇଲୁ ସେ ଫଟୋଗୁଡ଼ିକୁ, କେତେ ଧୂଳି ଲାଗିଛି । ଘୁମେଇବାକୁ ତୋର ବେଳ ଥାଏ, ଫଟୋଗୁଡ଼ାକ ଝାଡ଼ିବାକୁ କି ଲୁଗାପଟା ସଜାଡ଼ି ରଖିବାକୁ ବେଳ ହୁଏ ନାହିଁ । ରହ, ଆଜି ଭାଇ ଆସନ୍ତୁ ।

 

କାନ ଛାଡ଼ିଦେଲା । ରାମା କାନ ଆଉଁସି ପଛକୁ ଘୁଞ୍ଚିଗଲା ।

ଫଟୋ ଝାଡ଼ିବାକୁ ମୋର ହାତ ପାଏ ନାହିଁ, ଦେଇ ।

ଶୁଣ୍‌

ରାମା ଡରି ଡରି ପାଖକୁ ଆସିଲା ।

ବୋଉ କାହିଁ ?

ମା ଉପରେ ଶୋଇଛନ୍ତି ।

 

ମିନତି କଣ୍ଠ ନରମ କରି କହିଲା, ଆଚ୍ଛା ରାମା, ତୁ ଭାରି ଭଲ ପିଲା, ନାଇଁରେ ? ତୁ ଗୋଟାଏ କାମ କରିବୁ ?

 

ରାମା ଖୁସି ହୋଇ କହିଲା, ହଁ ଦେଇ ।

ତୁ ଯା ଦାଣ୍ଡ ବାରଣ୍ଡାରେ ବସିଥିବୁ । ମୁଁ ତୋ ପାଇଁ ସବୁ କାମ କରିଦେବି, ବୁଝିଲୁ ?

ରାମା ଯିବାକୁ ଉଦ୍ୟତ ହେଲା ।

 

ଶୁଣ୍‌, ଦାଣ୍ଡରେ ବସିଥିବୁ, ଘୁମେଇବୁ ନାହିଁ ବୁଝିଲୁ ? ଦେଖ୍, ଭାଇ ଯଦି ଆସନ୍ତି, ତାଙ୍କୁ ଫାଟକ ପାଖରେ ଦେଖିଲେ ମୋତେ କହିଦେବୁ, ଏଁ ?

ହଁ ଦେଇ, କହି ରାମା ଚାଲିଗଲା ।

ମିନତି ଥରେ ପଦାକୁ ଚାହିଁ କବାଟ ଆଉଜାଇ ନେଲା । କାନ୍ଥ ଉପରୁ ଫଟୋ ଖଣ୍ଡ କାଢ଼ି ଭାରି ତନ୍ମୟ ହୋଇ ଚାହିଁ ରହିଲା । କୁସନ୍‌ ଚେୟାର ଉପରେ ବସି ଫଟୋଟିକୁ ଧୀରେ ଧୀରେ ଛାତି ଉପରେ ରଖିଲା । ଦୁଇ ଆଖି ସଜଳ ହେଲା । ଫଟୋଟିକୁ ଟେବୁଲ ଉପରେ ଡେରି ରଖି ତନ୍ମୟ ହୋଇ ଚାହିଁ ରହିଲା ।

ଧୀରେ ଧୀରେ କବାଟ ଖୋଲିବାର ଶବ୍ଦ ହେଲା । ଚମକି ଉଠି ପଛକୁ ଚାହିଁ ଦେଖିଲା ତାର ମା’ ସୁନୀତି ଦେବୀ ଘର ଭିତରକୁ ପଶି ଆସୁଛନ୍ତି । ସେ ଅସ୍ତବ୍ୟସ୍ତ ହୋଇ ଫଟୋଟିକୁ ଟେବୁଲ ଉପରେ ଓଲଟାଇ ରଖିଲା । ମା’ଙ୍କ ପାଖକୁ ଆସି ସତେ ଯେପରି ବିବ୍ରତ ହୋଇ କହିଲା, ତୁ ପରା ଶୋଇଥିଲୁ ବୋଉ । ସୁନୀତି ଟେବୁଲ ପାଖକୁ ଘୁଞ୍ଚିଆସି ଖଣ୍ଡେ ଚେୟାରରେ ବସିଲେ । ମିନତି ତାଙ୍କ ପାଖରେ ଆଉ ଗୋଟିଏ ଚୌକିରେ ବସିଲା ।

ନିଦ ହେଉଛି କୋଉଠି ମା’ । ବିଛଣାରେ ପଡ଼ି ଛଟ ପଟ ହେଉଥିଲି । ତୁ ସ୍କୁଲରୁ କେତେବେଳେ ଆସିଲୁ ?

ଦଶ କୋଡ଼ିଏ ମିନିଟ୍‌ ହେବ ତ । ଭାଇଙ୍କ ବୈଠକଖାନାରେ ପଶି ଦେଖିଲି ସବୁ ଅଲଗା ହୋଇ ପଡ଼ିଛି । ସଜାଡ଼ି ଦେଉଥିଲି ।

ସୁନୀତି ଫଟୋ ଖଣ୍ଡି ଟେକି କହିଲେ, ବ୍ରଜର ହେବ ପରା । ହଁ ତ !

କେଜାଣି ! ଦେଖିଲୁ ବୋଉ କେତେ ଧୂଳି । କେବେଠୁଁ ଝଡ଼ା ହୋଇନାହିଁ । ମୁଁ ଖଣ୍ଡି ଖଣ୍ଡି କରି ଝାଡ଼ି ଟାଙ୍ଗୁଥିଲି । ଇସ୍, ଏ ଧୂଳିଗୁଡ଼ାକ ଆଖିରେ ପଡ଼ିଛି । ଆଖିର ଲୁହ ପୋଛିଲା ।

ତୋତେ ଏ ଅସନା କାମ କରିବାକୁ କିଏ କହୁଥାଏ ?

ବୋଉ, ଭାଇ କାହାନ୍ତି ? ତାଙ୍କ କଲେଜ ତ କେତେବେଳୁ ଛୁଟି ହେବଣି ।

ବ୍ରଜ ଘରକୁ ଯାଇଥିବ । କାହିଁକି ତାକୁ ଖୋଜୁଛୁ ? ପୁଣି କଜିଆ କରିବାକୁ ମନ ହେଲାଣିକି ? ତମ ଜାଳାରେ ମୁଁ ଆଉ ଏ ଘରେ ରହିପାରିବି ନାହିଁ । ଏଡ଼େ ଏଡ଼େ ପିଲା ହେଲ, ମନରେ କିଛି ପଶୁ ନାହିଁ ତମର । ସେ ପରା ତୋର ବଡ଼ଭାଇଲୋ । ତା ସଙ୍ଗେ କଜିଆ କଲେ କଣ ସୁନ୍ଦର ଦିଶିବ ?

ମୁହଁ ଗମ୍ଭୀର ହେଲା ମିନତିର । ସେ ଆଖି ପୋଛିଲା ।

ସେ କାହିଁକି ମୋ ସଙ୍ଗେ ଆଗ ଲଗାନ୍ତି, କହିଲୁ ?

 

ତୁ ତ ଉଦ୍ଦଣ୍ଡୀ, ସବୁ କଥାରେ ଛଳ କରୁ । ଜାଣୁ, ରାଜୁ ତତେ କେତେ ଭଲପାଏ ? ତତେ ଘଡ଼ିଏ ନ ଦେଖିଲେ ସେ ପାଗଳ ହୋଇଯାଏ । ତୁ କଅଣ ଖାଇଛୁ ଆଗ ବୁଝିଲେ ଯାଇ ସେ ଖାଇବସେ । ମା, ଭାଇକି ସେମିତି କଡ଼ା କଥା ଆଉ କହିବୁ ନାହିଁ ।

ମୁଁ କ’ଣ ମୋ ଭାଇକି ଭଲପାଏ ନାହିଁ ?

ପାଉ ଯେ, ତୋ ମୁହଁଟା ଭାରି ଖର । କାଲି ତୋର ନୂଆ ବୋହୂ ଆସିବ, ତୋ ରଙ୍ଗ ଢଙ୍ଗ ଦେଖି କ’ଣ ମନେକରିବ ?

ମିନତି ମୁହଁ ବୁଲାଇ କହିଲା, ଓ, ଭାରି ତ ନୂଆବୋହୂ । ହେମ ପୁଣି ହେବ ମୋ ନୂଆବୋହୂ । ହଉ, ତାକୁ ତ କେତେ କନ୍ଦାଇଛି, କାନ ମୋଡ଼ିଛି । ସେ ଆସୁ ଆଗ ।

 

ସୁନୀତି ହସିଲେ । କହିଲେ, ତୋର ତ ସେଇକଥା ଗଲାନାହିଁ । କାହିଁକି ପିଲାଟାକୁ କନ୍ଦାଉ ? ଟିକିଏ ତୁନିରହି ପୁଣି କହିଲେ, ରଘୁ ବାବୁ ଆଜି ଆସିଥିଲେ ମା ଦିପହରେ । କହୁଥିଲେ, ପୁଅ ଝିଅଙ୍କର ନିମିତ୍ୟ ଏକାସଙ୍ଗେ ଉଠାଇବେ । ପୁଅ ପାଇଁ ତ ଶାନ୍ତିକୁ ଠିକ୍‌ କରିଛନ୍ତି, ହେମପାଇଁ ତ ରାଜୁକୁ ଠିକ୍‌ କରିଛନ୍ତି । ମୋର ପକ୍‌କା ଜବାବ ମାଗୁଥିଲେ ମା । କହିଲୁ, ତୋ ଭାଇଠୁଁ ନ ବୁଝି ମୁଁ କେମିତି ଜବାବ ଦିଅନ୍ତି ।

 

ମିନତି ବିଶେଷ ଆଗ୍ରହର ସହିତ ପଚାରିଲା, ତୁ କ’ଣ କହିଲୁ ?

 

କହିଲି, ତମଠୁଁ ସବୁ ବୁଝି ଜବାବ ଦେବି । ଆଚ୍ଛା କହିଲୁ ମା, ହେମଟି କେମିତି ପିଲା । ତାକୁ ଏ ଘରକୁ ବୋହୂ କରି ଆଣିଲେ ତୁ ଖୁସି ହେବୁ କି ନାହିଁ ।

 

ବୋଉଲୋ, ହେମଟି ଭାରି ଭଲ ପିଲା । ଆମ କ୍ଲାସରେ ସବୁଠୁଁ ଭଲ ପଢ଼େ । ସେ ମୋ ନୂଆବୋହୂ ହୋଇ ଆସିଲେ ମୁଁ ତାକୁ ଭାରି ଭଲ ପାଇବି । ସେ ମୋର କେତେ ମାଡ଼ ସହିବ-

 

ଯିଏ ଯାହାକୁ ଭଲପାଏ ସେ ତାକୁ କ’ଣ ମାରେ ? ଆଉ ହେମ ଯେତେବେଳେ ମୋର ବୋହୂ ହୋଇ ଆସିବ, ତା ସଙ୍ଗେ ଯଦି ତୁ କେବେ କଜିଆ କରୁ, ମୁଁ ତତେ କେବେ ଆଉ କଥା କହିବି ନାହିଁ ।

 

ମିନତି ମୁହଁ ଶୁଖାଇ କହିଲା, ତେବେ ତ ବୋଉ, ତାକୁ ମୁଁ ମୋ ନୂଆବୋହୂ କରିବାକୁ ରାଜି ହେବି ନାହିଁ । ଆଚ୍ଛା ବୋଉ, ଶାନ୍ତିଟି କେମିତି ପିଲା କହିଲୁ ?

 

ଭଲ ପିଲାଟିଏ ତ । ତାକୁ ଦେଖିଲେ ମତେ ଭାରି ଖୁସିଲାଗେ । ସୁନ୍ଦର ଝିଅଟି, ସେଇଥିପାଇଁ ରଘୁବାବୁ ବୋହୂ କରିବାକୁ ବସିଛନ୍ତି । ଧରଣୀବାବୁ କୁଆଡ଼େ ପକ୍‌କା ଜବାବ ଦେଇ ସାରିଛନ୍ତି ।

 

ମିନତି ଟିକିଏ କଣ ଭାବିଲା । ଓଠ ଉପରେ ହସର ଆଭା ଖେଳିଗଲା । କହିଲା, ଶାନ୍ତିଟା ଭାରି ଆଲୁରିଟାଏ । ଶାନ୍ତ ଶିଷ୍ଟ ହେଲେ କ’ଣ ହେବ, ଭାରି କାଉନ୍ଦା । ଯିଏ ଯାହା କହେ ହସିଦିଏ । ତାକୁ ଗାଳିଦିଅ, ମାର, ଯାହା କର କେବେ ରାଗେ ନାହିଁ । ମା, ଶାନ୍ତି ଯଦି ମୋର ନୂଆବୋହୂ ହୋଇଆସନ୍ତା କେଡ଼େ ଭଲ ହୁଅନ୍ତା କହିଲୁ ?

 

ତା କେମିତି ହେବ ? ରଘୁବାବୁ ତାକୁ ବ୍ରଜ ବିଷୟରେ ଠିକ୍‌ କରିଛନ୍ତି । ଧରଣୀ ବାବୁ ପକ୍‌କା ଜବାବ ଦେଇଛନ୍ତି । ସେ ଏକା କଥା ମା । ବ୍ରଜ ତୋର ଭାଇ ପରି । ବ୍ରଜକୁ ବାହା ହେଲେ ସେ କ’ଣ ତୋର ନୂଆବୋହୂ ହେବନାହିଁ ?

 

ହଁ ମା ହେବ, ମୋର ନୂଆବୋହୂ ହେବ । ହସିଲା ।

ସୁନୀତି ଉଠିଲେ । କହିଲେ, ତୁ କିଛି ଖାଇବୁ ନାହିଁ ମା ?

ଭୋକ କରୁନାହିଁ । ଭାଇ ଆସନ୍ତୁ, ଆମେ ଏକାଠି ଖାଇବୁ ।

 

ସୁନୀତି ପଦାକୁ ବାହାରି ଗଲେ । ମିନତି କବାଟ ଆଉଜାଇ ଟେବୁଲ ପାଖକୁ ଫେରି ଆସିଲା । ଫଟୋଖଣ୍ଡି ଉଠାଇ ମନକୁ ମନ କହିହେଲା, କି ବ୍ରଜବାବୁ, ଶାନ୍ତିକି ବାହା ହେବ, ଶାନ୍ତି କି ? ତମେ ଶାନ୍ତି କି ଭଲପାଅ ମୋତେ ଘୃଣାକର, ନା ? ଯିଏ ଯାହାକୁ ଭଲପାଏ ତାକୁ କ’ଣ ବାହାହୁଏ ।

 

କଣ ଭାବିଲା କେଜାଣି ଆଖିରେ ଲୁହ ଭରିଗଲା । ଫଟୋଖଣ୍ଡ ଟେବୁଲ ଉପରେ ରଖିଦେଇ ଦାଣ୍ଡ ଝରକା ପାଖକୁ ଘୁଞ୍ଚିଗଲା । ପଦାକୁ ଚାହିଁ କହିଲା, କିରେ ରାମା ଘୁମୋଉଛୁ ?

 

ରାମା ବିଳିବିଳେଇଲା ପରି କହିଲା, ନାଇଁ ଦେଈ ନାଇଁ ।

ଆଚ୍ଛା, ଭାଇ ଆସିଲେ ମୋତେ ଡାକିଦେବୁ, ବୁଝିଲୁ ?

ଆଜ୍ଞା ହଁ ।

 

ମିନତି ପିଆନୋ ପାଖକୁ ଫେରିଆସିଲା । ସ୍ୱର ଦେଇ ଗୀତ ଆରମ୍ଭ କଲା । ଆଖିରେ ଭରିଗଲା ଲୁହ । ଧୀରେ ଧୀରେ ରାଜୁ ଆସି ତା’ର ପଛରେ ଠିଆହୋଇ ତନ୍ମୟ ହୋଇ ଗୀତ ଶୁଣୁଛି । ଗୀତ ଶେଷ ହେଲା । ରାଜୁ ହସି ଉଠିଲା । ମିନତି ଚମକି ଉଠି ବୁଲି ଠିଆହେଲା । ରାଜୁ ତା’ର ଦୁଇ ହାତ ଧରି କଡ଼ା କଣ୍ଠରେ କହିଲା, କିଲୋ, ମୋର ଅନୁପସ୍ଥିତିରେ ତୁ ମୋ ଘରେ ପଶିଲୁ କାହିଁକି ? ଆଜି ଧରାପଡ଼ିଛୁ, ରହ ।

 

ମିନତି ଜବାବ ଦେଲା, ମୁଁ ନ ଥିବାବେଳେ ତମେ ତ ମୋ ପଢ଼ାଘରେ ପଶ । ଓଃ, ମତେ ଛାଡ଼ ।

 

ହାତ ଟାଣିନେଲା । ଟେବୁଲ ଉପରେ ଫଟୋଟାକୁ ଦେଖି ଟିକିଏ ଅପ୍ରସ୍ତୁତ ହେଲା । ଘରୁ ବାହାରି ଯାଇପାରିଲା ନାହିଁ । ସ୍ୱର ନରମ କରି କହିଲା, ରାମାଟା କିପରି ଚଗଲା ଭାଇ । ତମ ଟେବୁଲ ଉପରେ ବହିଗୁଡ଼ାକ ଘଣ୍ଟାହୋଇ ପଡ଼ିଥିଲା । ମୁଁ ସଜାଡ଼ି ଦେବାକୁ ଆସିଥିଲି ।

 

ବହିଗୁଡ଼ାକ ଘାଣ୍ଟୁ ତୁଇ, ପୁଣି ସଜାଡ଼ୁ ତୁଇ । ଆଚ୍ଛା, ତୋ ଆଖିରେ ଲୁହ କାହିଁକି ?

ଲୁହ ନୁହେଁ, ପାଣି । ସର୍ଦ୍ଦି ହୋଇଛି ।

 

ଗୀତ ବୋଲିଲାବେଳେ ହଠାତ୍‌ ସର୍ଦ୍ଦି ହୁଏ ପରା ! ଆଚ୍ଛା ମିନି, ଆଉ ଗୋଟିଏ ଗୀତ ବୋଲିଲୁ ।

 

ମୋତେ ଫର୍ମାସି ଦିଆ ଗୀତ ବୋଲି ଆସେ ନାହିଁ ।

 

ତୋ ମନକୁ ବୋଲ । ଏଇକ୍ଷଣି ଯାହା ବୋଲୁଥିଲୁ ସେଇଆକୁ ବୋଲ ଆଉ ଥରେ । ଆଖିରୁ କେମିତି ପାଣି ବୋହିବ ଦେଖିବି ।

 

ମିନତି ରାଗିଯାଇ କହିଲା, ଦେଖ ଭାଇ, ତମେ ମତେ ଥଟ୍ଟା କରୁଛ, ଚିଡ଼ୋଉଛ, ମୁଁ ତମକୁ ଚିଡ଼େଇଲେ ତମେ ସହିବଟି ?

 

କଅଣ ଟିକେ ଚିଡ଼େଇଲୁ ।

ନାଇଁ ବୋଉ ମନା କରିଛି । ଭାଇ, ତମେ କୋଉଠିକି ଯାଇଥିଲ କହିଲ ?

ତୋତେ କଅଣ କହିବାକୁ ମୁଁ ବାଧ୍ୟ ?

ବାଧ୍ୟ ନୁହଁ ଯେ, ତେବେ ଶୁଣେ ।

ମୁଁ ଯଦି କହେ, ବ୍ରଜ ଘରକୁ ?

ମୁଁ କହିବି ତମେ ନିର୍ଲଜ୍ଜ ।

କାହିଁକି, ବ୍ରଜ ମୋର ସାଙ୍ଗ ।

 

ମୁଁ ମନା କରୁନାହିଁ । ହଠାତ୍‌, ସାତ ଆଠଦିନ ହେବ ବ୍ରଜ ସାଙ୍ଗଙ୍କଠି ତମର ଏତେ ମମତା ହୋଇଗଲା ନାଁ ! ମୁଁ ଜାଣେ ଯେ ।

 

କଅଣ ଜାଣୁ ଶୁଣେ ।

 

ବୋଉ ମୋତେ ସବୁ କହୁଥିଲା । ଆଚ୍ଛା ଭାଇ, ହେମଟା ତ ସବୁବେଳେ ମୋ ସଙ୍ଗେ କଜିଆ କରେ । ମୋର ତା’ର ପଡ଼େ ନାହିଁ । ସେ ଯଦି ମୋର ନୂଆବୋହୂ ହୋଇ ଆସେ ତେବେ ତ–

 

ତେବେ ତ ତୁ ଏ ଘରେ ରହିପାରିବୁ ନାହିଁ । ତା ଆଗରୁ ମୁଁ ତୋତେ ତାଙ୍କ ଘରକୁ ବିଦା କରିବାକୁ ଚେଷ୍ଟା କରୁଛି । ଭଲ ହେବ ନାହିଁ ମିନି ? ହେମ ହେବ ତୋର ଭାଉଜ ବୋହୂ, ଆଉ ତୁ ହେବୁ ତା’ର......

 

ମିନତି ବିରକ୍ତ ହୋଇ ଚାଲିଯିବାକୁ ଉଦ୍ୟତ ହେଲା । କହିଲା, ଦେଖ, ତୁମେ ମୋ ସଙ୍ଗେ ଲଗାନା କହୁଛି । ତା ହେଲେ କାଲି ସ୍କୁଲରେ ହେମର–

 

ରାଜୁ ତା’ର ହାତଧରି ଅଟକାଇ ରଖିଲା । ଟେବୁଲ ଉପରେ ପଡ଼ିଥିବା ଫଟୋଖଣ୍ଡିକ ଉପରେ ନଜର ପଡ଼ିବାରୁ ପଚାରିଲା, କିଲୋ ମିନି, ସେ ଫଟୋ କିଏ କାଢ଼ିଲା ?

 

ମୁଁ । ଫଟୋଗୁଡ଼ାକରେ ଧୂଳି ପଡ଼ିଥିଲା, ମୁଁ ଝାଡ଼ି ରଖୁଥିଲି ।

ସେ ଖଣ୍ଡ କାହିଁକି ପକାଇଛୁ ?

ଫଟୋଖଣ୍ଡକ ହାତରେ ଧରି କହିଲା–ଓ, ବ୍ରଜର ଫଟୋ ଯେ !

 

ସେଇଥିପାଇଁ ତ ଝାଡ଼ି ନାହିଁ । ତମେ ତାଙ୍କୁ ଭଲପାଅ, ମୁଁ ତାଙ୍କୁ ଭଲପାଏନା । ତମରି ପାଇଁ ରଖିଛି । ତମେ ତାକୁ ଝାଡ଼ି ରଖିବ ।

 

ତେବେ ତୁ ଯେଉଁ ଫଟୋଗୁଡ଼ାକ ଝାଡ଼ି ରଖିଛୁ, ସମସ୍ତଙ୍କୁ ତୁ ଭଲପାଉ, ଏକା ବ୍ରଜକୁ ଛାଡ଼ି । ବଡ଼ ମୁସ୍କିଲ ତା ହେଲେ । ତୋ ପାଇଁକି ଗୋଟାଏ ସ୍ୱୟଂମ୍ବରର ଆୟୋଜନ କରିବାକୁ ପଡ଼ିବ ।

 

ମିନତି କଅଣ କହିବାକୁ ଯାଉଥିଲା । ହଠାତ୍‌ ମୁଣ୍ଡ ଉପରକୁ ଓଢ଼ଣା ଟାଣିଲା । ବ୍ରଜବାବୁ ହସି ହସି ଭିତରକୁ ଆସିଲେ ।

 

ତୁ ତ ବଡ଼ ଅଭଦ୍ରରେ ରାଜୁ । ମୋତେ ଦାଣ୍ଡରେ ଠିଆ କରିଦେଇ ଘର ଭିତରେ ପିଲାଟା ସଙ୍ଗେ କଜିଆ କରୁଛୁ !

 

ମିନତି ନମସ୍କାର କଲା । କହିଲା, ଭାରିତ ଭଦ୍ର ଆପଣ ! ନ ଡାକି ଘର ଭିତରକୁ ପଶି ଆସିଲେ କେମିତି ?

 

ତା’ର କୈଫିୟତ ଦେବାକୁ ହେବ ? ଭାଇ ଭଉଣୀ ଅଛନ୍ତି ବୋଲି ମୁଁ ଜାଣେ । କଜିଆ ଲାଗିଛି, ଶାନ୍ତି ରଖିବାକୁ ହେବ । ଲାଜରେ ମୁହଁ ଲାଲ ହୋଇ ଉଠିଲା ମିନତିର । ସେ ମୁହଁ ଟାଣ କରି କହିଲା, ଆପଣ ଶାନ୍ତି ରଖି ପାରିବେତ ?

 

କାହିଁକି ପାରିବି ନାହିଁ ? ଯଦି ଜଣକର ମୁହଁ ବନ୍ଦ କରିପାରେ ।

ଜଣକର ନା ? ସେ ଜଣକ କିଏ ?

ବ୍ରଜ କହିଲା, ଯଦି କହେ ତୁ-ଉ ।

 

ମୁଁ ? ହାଃ, ହାଃ । ଭାଗ୍ୟ ଭଲ, ଆପଣ ମୋର ଭାଇ ନୁହନ୍ତି । ନୋହିଲେ ଶାନ୍ତି ରଖିବାକୁ ମୋଟେ କହନ୍ତେ ନାହିଁ । ମିନତି କ୍ଷିପ୍ରପଦରେ ଘରୁ ବାହାରିଗଲା ।

 

ରାଜୁ ହସି ହସି କହିଲା, ଦେଖିଲୁରେ ! ମିନିଟାର ମୁହଁ ବଡ଼ ଖର । ଯେତେ ଗାଳିଦେଲେ, ଯେତେ ଶିଖାଇଲେ ଟିକିଏ ଭଦ୍ରତା ଶିଖିଲା ନାହିଁ । ଏଡ଼େ ପିଲାଟାକୁ ଗାଳିଦେଲେ କ’ଣ ଶୋଭାପାଇବ ? ସେ ବି ଓଲଟି ଗାଳିଦେବ ଯେ । ତାର ଏ ଦୁର୍ଗୁଣପାଇଁ ବୋଉ ଦାୟୀ । ସବୁବେଳେ ଖାଲି ଗେହ୍ଲା-ମିନିକି ଗାଳିଦେଲେ ବୋଉ କାନ୍ଦେ । ଡରିକରି ମୁଁ କିଛି କହେନାହିଁରେ ଭାଇ ।

 

ଯାହା କହ ଭାଇ, ପିଲାଟାର ଲାଇଫ୍‌ ଅଛି । ସ୍ୱାଧୀନ ମନ ନିର୍ଭୀକ ଭାବ, ନିଃସଙ୍କୋଚ ପ୍ରକୃତି । ଝିଅ ତ ଏମିତି ହେବା ଦରକାରରେ । ଆଉ ଯେଉଁ ଝିଅଗୁଡ଼ା କାଦୁଅ ମେଞ୍ଚା ପରି ଯେମିତି ଗଢ଼ିବ ସେମିତି ଗଢ଼ି ହେବେ, ଯାହା କହିଲେ ତୁଣ୍ଡରୁ କଥା ବାହାରିବ ନାହିଁ, ସବୁକଥା ଜାଣନ୍ତି, ଦେଖେଇ ହୁଅନ୍ତି କିଛି ଜଣାନାହିଁ, ସେଗୁଡ଼ା କି ଝିଅ ?

 

ଯଦି ଦିନଟିଏ ମିନି ପାଖରେ ରହନ୍ତୁ ତୋର ଧାରଣା ବଦଳି ଯାଆନ୍ତା । ତା ଉତ୍‌ପାତ ସହିବା ବଡ଼ କଷ୍ଟ ।

 

ଜାଣେରେ ଜାଣେ, ଯାହାକୁ ତୁ ଦୁର୍ଗୁଣ କହୁଛୁ, ସେଇ ତ ତା’ର ଗୁଣ ।

 

ରାଜୁ ହସି ହସି କହିଲା, ବାଃରେ, ଦିନ-ରାତି ସେ ତୋର ଦୁର୍ଗୁଣ ଗାଇ ହେଉଥାଉ, ଆଉ ତୁ ତାର ପ୍ରଶଂସା କରୁଥା ।

 

ମୋର ଦୁର୍ଗୁଣ ଗାଏ କାହିଁକି ?

 

ଖାଲି ଦୁର୍ଗୁଣ ଗାଏ ? ତୋତେ ସେ ଦେଖିପାରେ ନାହିଁ । ହେଇ ଦେଖ ଏତେ ଫଟୋ ଥାଉଁ ଥାଉଁ ତୋରି ଏଇ ଫଟୋଟାକୁ କାଢ଼ି ସେ ସବୁବେଳେ ଫୋପାଡ଼ି ଦିଏ ।

 

ସତେ, ମୋ ଉପରେ ତାର ଏତେ ରାଗ କାହିଁକି ?

ପଚାରୁନୁ ତାକୁ ।

 

ମିନତି ପୁଣି ଆସିଲା । ତରତର କରି କହିଲା, ତମକୁ ବୋଉ ଡାକୁଛି ଆସ । ଚାଲି ଯାଉଥିଲା । ବ୍ରଜ ପଛରୁ ଡାକିଲା, ଶୁଣ ମିନି ।

 

କଅଣ ?

ରାଜୁ କହୁଛି, ମୋ ଉପରେ କୁଆଡ଼େ ତୋର ଭାରି ରାଗ ?

ନିଶ୍ଚୟ, ଭାଇ କଅଣ ଆଉ ମିଛରେ କହୁଛନ୍ତି ?

କାହିଁକି, ଶୁଣେ, ମୋର ଦୋଷ ?

 

ଆପଣ ନବଭାରତରେ ଯେଉଁସବୁ ଗପ ଲେଖି ଛପାନ୍ତି, ସେଥିରେ ମୋ ନାଁ ଲେଖନ୍ତି କାହିଁକି ? ଯାହା ତ ଲେଖନ୍ତି, ଛି, ସେଥିରେ ପୁଣି ନା ଦିଆହୁଏ ମୋର ! କଅଣ କେବେ ଆପଣଙ୍କ ପାଖକୁ ଚିଠି ଲେଖିଥିଲି, ଆପଣ ନବଭାରତରେ ଲେଖନ୍ତି କିପରି ମିଛକଥା ?

 

ଦୁଇବନ୍ଧୁ ହସିବାକୁ ଲାଗିଲେ । ମିନତି ଗମ୍ଭୀର ହୋଇ ଠିଆ ହୋଇ ରହିଲା ।

 

ବ୍ରଜ ହସି ହସି କହିଲା, ଓ ଏଇଥିପାଇଁ ରାଗ । ଆରେ ଗଳ୍ପଗୁଡ଼ାକ ତ ସବୁ ମିଛକଥା ନେଇ ଲେଖାହୁଏ । ନାଁ ମନେପଡ଼ିଲା ନାହିଁ, ଲେଖୁ ଲେଖୁ ଲେଖି ଦେଲି ମିନି ।

 

ସେମିତି ଲେଖୁ ଲେଖୁ ଲେଖିଥାନ୍ତେ ଶାନ୍ତି । ଶାନ୍ତିର ନାଁଟା ମନେପଡ଼ିବା ତ ଉଚିତ ଥିଲା, ଦରକାର ବି ଥିଲା । ମୋ ନାଁ ଲେଖିଲେ, ସାଙ୍ଗ ପିଲାଏ ମୋତେ ଥଟ୍ଟା କରୁଛନ୍ତି । ଆପଣ ଲେଖିବେ ଗପ, ମୁଁ ଶୁଣିବି ଥଟ୍ଟା । ବାଃରେ–

 

ରାଜୁ କହିଲା, ତା ବୋଲି କଅଣ ତୁ ପ୍ରତିଶୋଧ ନେବୁ ବ୍ରଜର ଫଟୋଟା ଉପରେ ? ନିର୍ଜୀବ ଫଟୋଟାକୁ ଗାଳିଦେଲେ କି ମାଡ଼ଦେଲେ, ପୁଣି ଏକୁଟିଆ ଘରେ–

 

ମିନତି କହିଲା, ମୋତେ ଭଲ ଲାଗେ । ତମର ବନ୍ଧୁକୁ ଭଲ ଲାଗିଲା ମୋର ନାଁଟା ନେଇ ଥଟ୍ଟା କରିବାକୁ, ମୋତେ ଭଲ ଲାଗିଲା ତାଙ୍କ ଫଟୋଟା ଉପରେ ଦାଉ ସାଧିବାକୁ । ଫଟୋଟା ଯେମିତି ନିର୍ଜୀବ ନାଁ’ଟା ବି ସେମିତି ଫମ୍ପା ।

 

ବ୍ରଜ କହିଲା, ଆଚ୍ଛା, ତେବେ ଆଜିଠୁଁ ମୁଁ ତୋ ନା ଲେଖିବି ନାହିଁ ।

ମୁଁ ବି ତୁମର ଫଟୋଟା ଛୁଇଁବି ନାହିଁ ।

ରାଜୁ କହିଲା, ତୋ ଫଟୋ ଖଣ୍ଡ ତୁ ନେଇଯା । ସେଥିପାଇଁ ଆମ ଘରେ ଝଗଡ଼ା ହୁଏ ।

 

ତାହାହିଁ ହେଉ । ଫଟୋଟା ଦେଖିଲେ ଯଦି ମିନତିର ଏତେ ରାଗ ହୁଏ, ମୁଁ ସେ ଖଣ୍ଡ ନେଇଯିବି । ଏଇଠି ଥାଉ ।

 

ଟେବୁଲ ଉପରେ କରିକିଆ କରି ରଖିଲା । ଟିକିଏ କଅଣ ଭାବି କହିଲା, ତେବେ ରାଜୁ, ମୋତେ ବି ଆଉ ଏଠିକି ଆସିବାକୁ ହେବନାହିଁ । ଫଟୋଟା ଦେଖି ଯଦି ତା‘ର ଏତେ ରାଗ, ନିଜେ ମୋତେ ଦେଖିଲେ ତା’ର ଭାରି ରାଗ ହେଉଥିବ ? କଅଣ କହୁଛୁ ମିନି ?

 

ମିନି ଉତ୍ତର ଦେବା ପୂର୍ବରୁ ସୁନୀତି ଆସିଲେ ।

 

କିଲୋ ମିନି, ଭାଇ ହେରିକାଙ୍କୁ ଡାକି ଦେବାକୁ କହିଲି, ତୁ ଏଠି ଆସି କଜିଆ କରୁଛୁ ? ଜଳଖିଆ ବଢ଼ା ହୋଇଛି, ଶୁଖି ଯିବନାହିଁ ?

 

ମୁଁ କଅଣ କାଖକରି ନିଅନ୍ତି କି ? ଡାକୁଛି ତ ଆସୁ ନାହାନ୍ତି ।

 

ଆରେ ବ୍ରଜ, ରାଜୁ, ଆସିବଟି; ଜଳଖିଆ ଖାଇ ମନଇଚ୍ଛା କଜିଆ କରୁଥା । ମିନି, ତୁ ବି ଚାଲ ।

 

ମୁଁ ଖାଇବି ନାହିଁ ।

 

ପୁଣି କଅଣ ବିଗିଡ଼ିଲା ? କାହିଁକି ପିଲାଟା ସଙ୍ଗେ ଲାଗିଛୁ ରାଜୁ, ତୋ ଜାଳାରେ ଆଉ ରହିହେବ ନାହିଁ ।

 

ଆ ମୋ ମା’ଟା, ତୁ ତା କଥା ଶୁଣୁ କାହିଁକି ?

ରାଜୁ କହିଲା, ଦେଖିଲୁ ବ୍ରଜ, ବୋଉର ମୁହଁବଢ଼ା ।

ବ୍ରଜର ହାତ ଧରି ଖଞ୍ଜାକୁ ନେଲା ।

ଆ, ମୋ ମା’ଟା ।

ତୁ ଚାଲ, ମୁଁ ଯାଉଛି ।

 

ସୁନୀତି କିଛି ନ କହି ଚାଲିଗଲେ । ମିନତି ଟିକିଏ ଅପେକ୍ଷା କରି ଫଟୋଟିକୁ ଉଠାଇ ଯଥା ସ୍ଥାନରେ ଟାଙ୍ଗି ଦେଲା ।

 

ଧରଣୀ ବାବୁଙ୍କ ଘର । ଅପରାହ୍ନ ପାଞ୍ଚଟା । ଶାନ୍ତିର ପଢ଼ାଘର । ଖଣ୍ଡିଏ ଛୋଟ ଟେବୁଲ, ଖଣ୍ଡିଏ ଚଉକି, କଡ଼କୁ ପଟାଖଟ । ଗୋଟିଏ ବହି ରାକ୍‍ । ଧରଣୀ ବାବୁଙ୍କର ବୟସ ଚାଳିଶି ଉପରେ । ବାଙ୍ଗର ମଣିଷ । ଚଉକିରେ ବସି ଟେବୁଲ ଉପରକୁ ଢଳି ପଡ଼ିଛନ୍ତି । ଖଟ ଉପରେ ବସିଛନ୍ତି ରେଣୁକା ଦେବୀ । ସାଧାରଣ ମିଲ୍‌ ଶାଢ଼ୀ ପରିହିତା । ତଳକୁ ଗୋଡ଼ ଲମ୍ବାଇଛନ୍ତି-। ଉଭୟେ ଚିନ୍ତାମଗ୍ନ ।

 

ରେଣୁକା ମୁହଁରେ ହାତ ବୁଲାଇ କହିଲେ, ତମର ଯଦି ଆୟୋଜନ କରିବାର ଶକ୍ତି ନ ଥିଲା, ରଘୁ ବାବୁଙ୍କୁ ଜବାବ ଦେଇ ବସିଲ କିପରି ? ନିଜର ଶକ୍ତିକୁ ଚାହିଁ ତ ବ୍ୟବସ୍ଥା କରିବାକୁ ହେବ । ଶାନ୍ତିର ବୟସ କିଛି ବଳେଇ ଯାଇନାହିଁ ଯେ, ତାର ବାହାଘର ପାଇଁ ଏତେବ୍ୟସ୍ତ ହୋଇପଡ଼ିବା କଥା । ଷୋଳବର୍ଷର ଝିଅ ତ !

 

ଧରଣୀବାବୁ ଦୀର୍ଘଶ୍ୱାସ ଛାଡ଼ି କହିଲେ, ବୟସ ବଳେଇ ନାହିଁ, କିନ୍ତୁ ମନେକଲେ, କାଲିପରି ଲାଗୁଛି ଶାନ୍ତିର ଜନ୍ମ । ଆଖି ଆଗରେ ସବୁ ଦୃଶ୍ୟ ନାଚି ଯାଉଛି । ମରୁ ମରୁ ତମେ ବଞ୍ଚିଗଲ । କାଲିପରି ତ ଲାଗୁଛି, ଷୋଳବର୍ଷ କଟି ଗଲାଣି । ବୟସ କଅଣ ଅନାଇ ବସେ ? ଝିଅର ବୟସ ହେଲା, ଆଉ ଡେରି କରି ତ ଲାଭ ନାହିଁ । ତିନି ତିନୋଟି ଝିଅ । ଜଣକୁ ବିଦା କଲେ ପୁଣି ଆଉ ଜଣକ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଠିକ୍‌ କଥା । ହେଲେ, ବାହାଘର ନାଁ ପଡ଼ିଲେ ଝିଅର ମୁହଁ ମଉଳି ଯାଏ । ଲୁଚେଇ ଲୁଚେଇ କାନ୍ଦେ । ପ୍ରତିଭା କହୁଥିଲା, କାଲି ରାତିରେ କୁଆଡ଼େ ସେ କାନ୍ଦୁଥିଲା । ତା’ର ଇଚ୍ଛା ଅନ୍ତତଃ ମାଟ୍ରିକୁଲେସନ ପାସ କରିବା ଆଗରୁ ତା ବାହାଘର କଥା କେହି ପକାଇବେ ନାହିଁ । ଗୋଟାଏ ବର୍ଷ ତ ବାକି ।

 

ତମକୁ ସେ କହୁଥିଲା ?

ସେମିତି ବେହିଆ ଝିଅ ସେ ନୁହେଁ ।

 

ତେବେ ଶୁଣ, ପିଲା ଲୋକ ସେ । ତା’ର ଗୋଟାଏ ଇଚ୍ଛା କଅଣ, ଅନିଚ୍ଛା କଅଣ ? ଭଲମନ୍ଦ ଭାବିବାରେ ଶକ୍ତି ତ ତା’ର ନାହିଁ । ବିଶେଷତଃ ରଘୁବାବୁ ଧନୀ ଓକିଲ । ତାଙ୍କ ପୁଅ ବ୍ରଜ ଏମ୍‌.ଏ. ପଢ଼ୁଛି, ମୁଁ ତ କିରାନୀ ମୁଣ୍ଡ, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ଲାଗି ମୁଁ ଚେଷ୍ଟା କରିବା ଲୋକ ନୁହେଁ । ଶାନ୍ତିର ରୂପ ଗୁଣ ଦେଖି ସେ ନିଜେ ପ୍ରସ୍ତାବ କଲେ । ମୁଁ ଅମଙ୍ଗ ହୁଅନ୍ତି କିପରି ? ବ୍ରଜ ପରି ପାତ୍ରଟିଏ କଅଣ ମିଳିବ ଆମକୁ ?

 

ରେଣୁକା କହିଲେ, ଟଙ୍କା ଶହେଟି ଦରମା । ବସା ଭଡ଼ା, ବସା ଖର୍ଚ୍ଚକୁ ନିଅଣ୍ଟ । ତମର ଦେବାର ଶକ୍ତି ନାହିଁ, ତେବେ–

 

ରଘୁ ବାବୁଙ୍କର କେଉଁଥିରେ ଅଭାବ ? ସେ ଚାହାନ୍ତି ଝିଅଟି ? ତେବେ ଆମର ତ ନିଜର ମାନମହତ୍ତ୍ୱ ଅଛି । ନିତାନ୍ତ ଅଳ୍ପରେ ଝିଅକୁ ଦିଖଣ୍ଡ ଶାଢ଼ୀ, ଦିପଟ ଅଳଙ୍କାର ନ ଦେଲେ ତ ହେବ ନାହିଁ । ସେତିକିର ବ୍ୟବସ୍ଥା କରିବାକୁ ହେବ । ଟଙ୍କା ହଜାରକରୁ କମ୍‍ରେ ଚଳିବ ନାହିଁ ।

 

ଆଠ ନଅ ବର୍ଷର ଝିଅଟିଏ ପ୍ରତିଭା, ଘରକୁ ଆସି ରେଣୁକାଙ୍କୁ ପଚାରିଲା, ବୋଉ ! ଅପା କହୁଛି, ରୁଟି ତରକାରି ହୋଇ ସାରିଲାଣି । ବାପା ପରା ଖାଇବେ ?

 

କହିଦେ ମା, ଜଳଖିଆ ଘୋଡ଼େଇ ରଖିଦେଉ । ହାଣ୍ତି କୁଣ୍ଢେଇ ଧୋଇ ରଖୁ । ତୁ ଯା ତ ମା ଘର ଦି ବଖରା ଓଳାଇଦେବୁ । ଟୁନିକୁ ଉଠେଇବୁ ନାହିଁଟି ! ପ୍ରତିଭା ଚାଲିଗଲା ।

 

ରେଣୁକା କହିଲେ, ହଜାରେ ଟଙ୍କା ଧାର କରିବ ? ସୁଝିବ କିପରି ?

 

ଧରଣୀବାବୁ ଉତ୍ତର ଦେଲେ, ଭଗବାନ ଅଛନ୍ତି । ସୁଝିବା କଥା ମୁଁ ଭାବୁନାହିଁ ଶାନ୍ତିବୋଉ, ମୁଁ ଭାବୁଛି, ମୋର କଅଣ ଅଛି ଯେ ଲୋକେ ଦେଖି ଧାର ଦେବେ । ଦେଖେ, କଅଣ ହେଉଛି । ଝିଅ ଜନ୍ମ କରିଛୁଁ, ଚେଷ୍ଟା କରିବା, ତେଣିକି ଯାହାଥିବ ତା ଭାଗ୍ୟରେ ।

 

ଧରଣୀବାବୁ ଉଠିଲେ । ଶାନ୍ତି ଧୀରେ ଧୀରେ ଘର ଭିତରକୁ ପଶିଲା । ବାପାଙ୍କୁ ଦେଖି ମୁଣ୍ତ ଉପରକୁ ଓଢ଼ଣା ଟାଣି ରେଣୁକା ଦେବୀଙ୍କ ପାଖକୁ ଯାଇ କହିଲା, ବୋଉ, ବାପାଙ୍କୁ କହ, ମୋର କାଗଜ ନାହିଁ । ମୋତେ ପରା ଦିଗଜ କନା କିଣିଦେବେ କହିଥିଲେ । ଆର ମାସରୁ ଲଗାଇଛି ଦି ବଣ୍ତଲ୍‌ ଉଲ୍‌ ଆଣିବାକୁ ।

 

ଧରଣୀ ବାବୁ କହିଲେ, ତୋର ଏତେଗୁଡ଼ାଏ ବରାଦ ମା ! ମୋର ତ ମନେପଡ଼ୁନାହିଁ । ଆଚ୍ଛା, ଆଣିଦେବି । ଆଜି ତ ହେଲା କୋଡ଼ିଏ ତାରିଖ । ଦିନ ଦଶଟା ଅପେକ୍ଷା କର । ଦରମା ପାଇଲେ ଉଲ୍‌ କିଣିଦେବି ।

 

ରେଣୁକାଙ୍କର ଆଖିରେ ଲୁହ ଭରିଗଲା । ସେ ଶାନ୍ତିର ପିଠିରେ ହାତ ବୁଲାଇଲେ । କହିଲେ, ଦେଖିଲ କି ଲୁଗା ସେ ପିନ୍ଧିଛି । ତା’ର ମୋଟେ ନୂଆଲୁଗା ନାହିଁ । ଖଣ୍ତେ ଲୁଗା ଖଣ୍ତେ ସେମିଜ୍‌ କିଣି ଆଣନ୍ତ ନାହିଁ ? ଶାନ୍ତି ତ ତମକୁ କିଛି କହିବ ନାହିଁ । କିଲୋ, କହୁନୁ ?

 

କଅଣ କହିବି ବୋଉ, ଲୁଗା ତ ଅଛି । କନା ଦି ଗଜ ହେଲେ ମୁଁ ସେମିଜ୍‌ ହାତରେ କରିନେବି ।

 

ଦେଖିଲ ତାର ହାତ । ପଟେ ପଟେ ସୁନାକାଚ । କେମିତିକା ସୁନା କେଜାଣି, ମାସ କେଇଟାରେ ଧଳା ହୋଇଗଲାଣି । ବେକଟା ତ ନଙ୍ଗଳା । ତୁମେ ଗୋଟିଏ କାମ କର, ମୋର ଏଇ ହାରଟା ନେଇଯାଅ । ୟାକୁ ଭାଙ୍ଗି ଛୋଟ ଛୋଟ ଦିଓଟି ହାର କରି ଆଣ ଶାନ୍ତି, ପ୍ରତିଭା ପାଇଁ ।

 

ରେଣୁକା ବେକରୁ ହାର ଖୋଲିଲେ ।

ଶାନ୍ତି କହିଲା, ହାରଟାଏ କଅଣ ହେବ ବୋଉ ? ଥାଉ ମୋ ରାଣ, ଖୋଲ ନା ।

 

ଧରଣୀବାବୁ କହିଲେ, ପହିଲାରେ ଦରମା ପାଇଲେ ଶାନ୍ତି ପ୍ରତିଭାଙ୍କ ପାଇଁ ଦୁଇଟି ହାର କରିଦେବି, ଥାଉ ।

 

ରେଣୁକା ସାମାନ୍ୟ ହସି କହିଲେ, ସବୁ ତ ପହିଲାକୁ ହେବ, କିନ୍ତୁ ସେ କେଉଁ ପହିଲା କେଜାଣି । କେତେ ତ ପହିଲା ଗଲାଣି, ପୁଣି କେତେ ଯିବ !

 

ପ୍ରତିଭା ଆସି କହିଲା, ବୋଉ, ଘର ଓଳା ସରିଲା ।

 

ରେଣୁକା କହିଲେ, ସଞ୍ଜ ଦି ପୁଞ୍ଜା ବଳି ରଖୁନୁ ମା । ନଲଟଣଗୁଡ଼ା ସଫା କରି ତେଲ ପୂରାଇ ରଖ । ଦିନ ଥାଉଁ ଥାଉଁ ଏ ସବୁ କାମ କରି ରଖିବାଟା ଭଲ ।

 

ପ୍ରତିଭା ପ୍ରତିବାଦ କଲା, ଅପା କରୁ, ମୁଁ ଏତେ କାମ କରିପାରିବି ନାହିଁ ।

 

ରେଣୁକା କହିଲେ, ମାଲୋ, ଅପା କଅଣ ସବୁଦିନେ ମୋ ପାଖେ ରହିବ ? ତୁ ତ ମୋର ଗେହ୍ଲା ଝିଅ, ସୁନା ଝିଅ । ତୁଇ ସବୁ କାମ ଶିଖିଲେ ହେବ ସିନା । ଆଖିରୁ ଲୁହ ପୋଛି ପୁଣି କହିଲେ, ଆଚ୍ଛା, ତୁ ଆଗ ଯା ବାପାଙ୍କୁ ଜଳଖିଆ ଦେବୁ । ଶାନ୍ତି ମୋର ନଲଟଣ ପୋଛିବ ।

 

ପ୍ରତିଭା ବାହାରିଗଲା । ପଛେ ପଛେ ଧରଣୀ ବାବୁ ଗଲେ ।

 

ରେଣୁକା ଶାନ୍ତିର ମୁଣ୍ତରୁ ଲୁଗା କାଢ଼ି କହିଲେ, କେତେଦିନ ହେଲା ମୁଣ୍ତ ବାନ୍ଧିନୁ ମା, ମୁଣ୍ତ କେମିତି ଅଡ଼ୁଆ ହୋଇଚି । ଆ, ତୋର ମୁଣ୍ତ ବାନ୍ଧିଦେବି ।

 

ଥାଉ ବୋଉ, କାଲି ବାନ୍ଧିବି । ସ୍କୁଲରେ କେତେ ପାଠ ଦେଇଛନ୍ତି । ମୁଁ କିଛି ପଢ଼ି ନାହିଁ ।

 

ଏଇକ୍ଷଣି କଅଣ ପଢ଼ିବା ବେଳ ? ମୁଣ୍ତ ଯଦି ନ ବାନ୍ଧିବୁ, ଆ, ଗଣ୍ତାଏ ପଖାଳ ଖାଇ ଆସିବୁ । ସଞ୍ଜ ହେଉ, ପଢ଼ା ଆରମ୍ଭ କରିବୁ ।

 

ପ୍ରତିଭାର ହାତ ଧରି ମିନତି ପହଞ୍ଚିଲା ।

 

ମିନତିକୁ ଦେଖି ରେଣୁକା ଠିଆହେଲେ । ଶାନ୍ତି ଆଗେଇ ଆସିଲା । ମିନତି ପ୍ରଣାମ କରି ରେଣୁକାଙ୍କୁ କହିଲା, ମାଉସୀ, ବୋଉ ତୁମ ଉପରେ ଭାରି ରାଗିଛି ।

 

ରେଣୁକା ମିନତିକୁ ଛାତି ଉପରକୁ ଆଉଜାଇ ନେଲେ । ତାକୁ ଆଣି ନିଜ ପାଖରେ ଖଟ ଉପରେ ବସାଇଲେ । କହିଲେ, ଆଜି କାହା ମୁହଁ ଦେଖିଥିଲି, ମା ଲକ୍ଷ୍ମୀ ମୋ ଘରେ ପାଦ ଦେଇଛନ୍ତି । ଏତେ ଦିନକେ ତୋର ଏ ଗରିବ ମାଉସୀଟା ମନେପଡ଼ିଲା ? ଆଜି ଦିପହରେ ତ ମୁଁ ଶାନ୍ତିକୁ ପଚାରୁଥିଲି ।

 

ତୁମେ ଖାଲି ଶାନ୍ତିକି ପଚାରୁଥାଅ । ବୋଉ କେତେ ଖବର ପଠାଇଲାଣି, ଦିନେ ଆଉ ଯାଇ ପାରୁନାହଁ ? ସେ କହିଛି, ତୁମେ ନ ଗଲେ ଆଉ ସେ କଥା କହିବ ନାହିଁ ?

 

ତୁ କୁଆଡ଼େ ଚାଲିଆସିଲୁ ମା ?

 

ମୁଁ କଅଣ ଆଉ ଆସନ୍ତି ନାହିଁ ? ମୁଁ ତୁମ ପାଖକୁ ଆସିନାହିଁ କି ଶାନ୍ତି ପାଖକୁ ଆସିନାହିଁ-। ମୁଁ ଆସିଛି ପ୍ରତିଭା ପାଖକୁ । ସେ ମୋତେ ଭାରି ଭଲପାଏ, ମୁଁ ତାକୁ ଭାରି ଭଲପାଏ । ତମ ନାଁରେ କେତେକଥା ସେ ଆସୁ ଆସୁ ଗପି ସାରିଲାଣି ଜାଣ ?

 

ଏଡ଼ିକି ଡବଡବିଟା ସେ । ତା ପାଟିରେ ଚିଆଁ ନ ଦେଲେ ହେବ ନାହିଁ । କ’ଣ ସବୁ ଗପିଛି ?

 

ଯାହା କହିଥାନ୍ତି ଆଉ କହିବି ମାଉସୀ ? ସତରେ ଯଦି ତା ପାଟିରେ ଚିଆଁ ଦିଅ, ସେ ତ ଭାରି କାନ୍ଦିବ ? କିଲୋ ଶାନ୍ତି, ଆହା, ମୁହଁଟା ଏମିତି ନଉତି ପରି କାହିଁକି ଲଦିଛୁ ?

 

ତତେ ଦେଖି ପରା ।

କାହିଁକି, ମୁଁ କଅଣ ତୋର ସଉତୁଣୀ ହେବାକୁ ଯାଉଛି କି ?

ଚୋପ୍, ମାନମହତ୍ତ୍ୱ କିଛି ଶିଖିଲୁ ନାହିଁଲୋ ।

 

କେମିତି ଶିଖିବି ? କିଏ ଶିଖେଇବ । ଆଚ୍ଛା ମାଉସୀ, ଶାନ୍ତି ଯଦି ଆମ ଘରେ ଯାଇ ମୋ ପାଖେ ରହନ୍ତା, ମୋତେ କେତେ ମାନମହତ୍ତ୍ୱ ଶିଖାନ୍ତା । ତାକୁ ନେବାକୁ ମୁଁ ଆସିଛି । ତମେ ତାକୁ ଛାଡ଼ିଦେବ ?

 

ନେଇ ଯାଉନୁ ।

ବେଶ୍‌ ହେଲା ଶାନ୍ତି, ଆଉ ଏକା ତାକୁ ଛାଡ଼ିବି ନାହିଁ ।

ରେଣୁକା କହିଲେ, ଭଲ କଥା ।

ପ୍ରତିଭା କହିଲା, ମୁଁ ଯିବି ବୋଉ ।

 

ମିନତି କହିଲା, ତୁ ଯିବୁ ? ତୋତେ ମାନମହତ୍ତ୍ୱ ଜଣାଅଛି, ମୋତେ ଶିଖାଇ ପାରିବୁ ତ-?

 

ହଁ ପାରିବି ।

ତେବେ ତ ଭଲ ହେବ ।

ରେଣୁକା କହିଲେ, ଆଲୋ ଶାନ୍ତି, ଟୁନି କାନ୍ଦିଲାଣି । ତାକୁ ଦୁଧ ପେଇଛୁ ମା ?

ନାଇଁ, ସେ ପରା ଶୋଇଥିଲା ।

ତମେ ଗପ କରୁଥା, ମୁଁ ତାକୁ ଦୁଧ ପେଇ ଆସେ ।

ରେଣୁକା ବାହାରି ଗଲେ ।

ପ୍ରତିଭା କହିଲା, ମୁଁ ସଞ୍ଜ ଦିପୁଞ୍ଜା ବଳିଦେଇ ଆସେ । ପ୍ରତିଭା ମଧ୍ୟ ଚାଲିଗଲା ।

 

ମିନତି କବାଟ ବନ୍ଦ କରି ଆସି ଶାନ୍ତି ପାଖରେ ବସିଲା । ତା’ର ଗାଲରେ ଆଙ୍ଗୁଠି ମାରି କହିଲା, ଶାନ୍ତି, ଛୁଟି ଦିନଟା ଆଜି । ଘରେ ବସି ବସି ମନ ଖରାପ ହେଲା । ପଢ଼ାରେ ମନ ଲାଗିଲା ନାହିଁ । ଭାବିଲି ତୋ ପାଖକୁ ଆସି ଟିକିଏ ଗପସପ କରିଯିବି–ସେଇଥିପାଇଁ ତ ଆସିଛି । ବୋଉ ତତେ କେତେ ପଚାରେ । ମୋତେ ସବୁଦିନେ କହେ, ଶାନ୍ତିକି ଟିକେ ଡାକି ଆଣୁନୁ । ଆଜି ଭାଇ ବି ତ ପଚାରୁଥିଲେ । ତୁ କାହିଁକି ଆମ ଘରକୁ ଯାଉନୁ ?

 

ମିନି ତମେ ସିନା ବଡ଼ ଲୋକ ଲୋ, ଘରେ ଚାକର ବାକର ଅଛନ୍ତି, ସବୁ କାମ କରିବେ-। ଘରେ ମଟର ଗାଡ଼ି ଅଛି, ଯେଣିକି ଚାହିଁଲ ସଙ୍ଗେ ସଙ୍ଗେ ବାହାରି ପଡ଼ିଲ । ଆମେ ତ ଗରିବ । ଯାହା ନିଜେ ନ କରିବୁ ହେବ ନାହିଁ, ବେଳ ମିଳୁଛି କେଉଁଠି ?

 

ବଡ଼ ଲୋକ ହେବାଟା କଅଣ ପାପ ଲୋ ଶାନ୍ତି ? ସମସ୍ତେ ତାଙ୍କୁ ଘୃଣା କରିବେ, ଥଟ୍ଟା କରିବେ ?

 

ତୁ ଓଲଟା କହିଲୁ । ଗରିବ ହେବାଟା ପାପ ।

 

ମିନତି ତୁନି ରହିଲା । କଅଣ ଭାବି ପୁଣି କହିଲା, ତମ ମନରେ ଏଇ ଯେଉଁ ଭାବ, ସେଇଥିପାଇଁ ମନରେ ଅଶାନ୍ତି ହୁଏ । ଧନୀ ହେବା କି ଗରିବ ହେବା ତ ଗୋଟାଏ ଚାନ୍‌ସ; କିନ୍ତୁ ଭଉଣୀ, ବନ୍ଧୁତା ଭିତରେ ଧନ ସମ୍ପତ୍ତିର ବାଡ଼ ରହିବାଟା ତ ଠିକ୍‌ ନୁହେଁ । ମୁଁ ବେଳେ ବେଳେ ଭାବେ, ଯଦି ମୁଁ ଗରିବ ଘରେ ଜନ୍ମ ହୋଇଥାନ୍ତି, ତମେ ସବୁ ମୋତେ ଘୃଣା କରନ୍ତ ନାହିଁ ?

 

ଘୃଣା ? ତୋତେ ପୁଣି ଘୃଣା କରିବ କିଏ ?

ତୁ କରୁ, ହେମ କରେ ।

 

ତୋତେ ମୁଁ କେତେ ଭଲପାଏ ସେ କଥା ତୁ କେମିତି ଜାଣିବୁ ? ହେମ ସିନା ମୁହଁରେ ତୋ ସଙ୍ଗେ କଜିଆ କରେ, ନୋହିଲେ ତୋ ପଛରେ ସେ ତୋର ,କେତେ ପ୍ରଶଂସା କରେ ।

 

ତୁ ବି ମୋର ପ୍ରଶଂସା କରୁ ?

ଶାନ୍ତି କହିଲା, ନା, କାରଣ, ପ୍ରଶଂସାର ଉପରେ ତୁ । ତେତେ ମୁଁ ନିନ୍ଦା କରେ ।

 

ମିନତି କହିଲା, ସେଇଥିପାଇଁ କହେ, ତୁ ମୋତେ ଭଲପାଉ, ଆଉ ହେମ ମୋତେ ଘୃଣାକରେ । ସେ ଯାହାହେଉ ଭଉଣୀ, ମୁଁ ତୋତେ ଘୃଣା କରେ, କାହିଁକି ଜାଣୁ ? ମୁଁ ଅନ୍ୟ ମୁହଁରୁ ତୋର ପ୍ରଶଂସା ଶୁଣି ସହିପାରେ ନାହିଁ । ଆଚ୍ଛା ଶାନ୍ତି, ଗୋଟିଏ କଥା ପଚାରିବି; ମନଖୋଲି ଯଦି କହିବୁ, ମୁଁ ବି ମନଖୋଲି ମୋର ଦୁଃଖ ତୋତେ କହିବି ।

 

କଅଣ ପଚାରିଲୁ ।

ରାଗିବୁ ନାହିଁ ତ ?

ନା ।

 

ମିନତି ମୁଣ୍ତ ନୁଆଇଁ ଶାନ୍ତିର କାନରେ କଅଣ କହିଲା । ଶାନ୍ତିର ଓଠରେ ହସ ଖେଳିଗଲା ।

 

ସତକଥା ଶାନ୍ତି ?

ସତମିଛ ଜାଣେ ନାହିଁ, ଶୁଣୁଛି ତ ।

ଏଥିରେ ତୋର ମତ ଅଛି ।

 

ମତାମତ ଦେବାର ସାହସ ତ ମୋର ନାହିଁ । ବାପା ମା ଯାହା କରିବେ, ସେ କଅଣ ଖରାପ କରିବେ ? ମୁଁ ପ୍ରତିବାଦ କରିଥିଲି ଅନେକ କାରଣରୁ । କାଳେ ମୋର ପାଠ ବନ୍ଦ ହୋଇଯିବ, କାଳେ ଋଣଗ୍ରସ୍ତ ହୋଇ ବାପାଙ୍କର ଅବସ୍ଥା ଆହୁରି ଖରାପ ହୋଇଯିବ । ତହିଁରେ ପୁଣି ବୋଉ ଦେହର ଅବସ୍ଥା ଭଲ ନୁହେଁ ।

 

ଫଳ କଅଣ ହେଲା ?

 

ପାଠ ବନ୍ଦ ହେବ ନାହିଁ । ବାପା କରଜ କରିବେ ନାହିଁ । ଏପରି ସ୍ଥଳେ ସେମାନଙ୍କ ମନରେ ଦୁଃଖ ଦେବାକୁ ଯିବି କାହିଁକି ?

 

ମିନତି ଥଟ୍ଟା କରି କହିଲା, ଆହା, ସତେ ଯେମିତି ତୋର ଇଚ୍ଛା ନାହିଁ ! ଆଗ୍ରହ ଆନନ୍ଦରେ ଦିନରାତି ଅଣ୍ଟୁ ନ ଥିବ ମନେକଲେ ।

 

ଶାନ୍ତି ଉତ୍ତର ଦେଲା ନାହିଁ ।

ବ୍ରଜବାବୁଙ୍କୁ ତୁ ଭଲ ପାଉ ଶାନ୍ତି ?

ଧେତ୍‌, ଆଉ କିଛି କଥା ନାହିଁ, ଖାଲି ସେହି କଥା ।

ମିନତି ତା’ର ହାତ ଧରି କହିଲା, ସତ କହ, ତୋତେ ରାଣ ଅଛି ।

 

ମୁଁ କାହାକୁ ଭଲପାଏ ନାହିଁ, କି ମନ୍ଦପାଏ ନାହିଁ । ବାପା ବୋଉ ଯାହାକୁ ଭଲ ପାଇବେ ତାକୁ ଭଲ ପାଇବାକୁ କଅଣ ଡେରି ଲାଗିବ ?

 

ଆଚ୍ଛା, ବ୍ରଜବାବୁଙ୍କ ସଙ୍ଗେ ତୋର ବାହାଘର ନ ହୋଇ ଯଦି ଆଉ କାହା ସଙ୍ଗେ ହୁଏ, ତୁ ଦୁଃଖିତ ହେବୁ ନାହିଁ ?

 

ମୋଟେ ନୁହେ । କାହିଁକି ଦୁଃଖିତ ହେବି ? ମଣିଷର ଭାଗ୍ୟ ତ ନିଜ ହାତରେ ନାହିଁ ।

ଭାଗ୍ୟ ଉପରେ ତୋର ଭାରି ବିଶ୍ୱାସ, ନା ?

ତା ଛଡ଼ା ମଣିଷର ଅନ୍ୟ ଉପାୟ ନାହିଁ ।

ମୋର ଧାରଣା କଅଣ ଜାଣୁ ଶାନ୍ତି ? ମଣିଷ ତା’ର ଭାଗ୍ୟକୁ ନିଜ ହାତରେ ଗଢ଼େ ।

କିଛି ସମୟ ତୁନି ହୋଇ ମିନତି କହିଲା, ବ୍ରଜବାବୁ ତୋତେ ଭାରି ଭଲପାନ୍ତି ଶାନ୍ତି !

ଶାନ୍ତି ସାମାନ୍ୟ ହସି କହିଲା, ତୋର କଅଣ ଈର୍ଷା ହେଉଛି କି ?

 

ଈର୍ଷା କାହିଁକି ହେବ ? କିନ୍ତୁ ରାଜୁ ଭାଇ ବି ତୋତେ ଭାରି ଭଲପାନ୍ତି । ସବୁବେଳେ ତୋରି କଥା ସେ ପଚାରନ୍ତି ।

 

ସତେ, ହେମ କଥା ମୋଟେ ପଚାରନ୍ତି ନାହିଁ ? କାହିଁକି ପଚାରିବେ, ସେ ସଦାବେଳେ ତାଙ୍କ ଘରକୁ ଯାନ୍ତି । ହେମକୁ ଦେଖନ୍ତି । ଆମର ଗରିବ ଘର । ଏଠିକି ସେ କେବେ ଆସନ୍ତି ନାହିଁ ।

 

ତୋର କଅଣ ଇଚ୍ଛା, ସେ ଏଠିକି ବି ଆସନ୍ତେ ?

 

ମୋର ଇଚ୍ଛାକଥା ମୁଁ କହୁନାହିଁ ମିନି, ତାଙ୍କର ମନକଥା କହୁଛି । ଯଦି ମୋ କଥା ସେ ଏତେ ପଚାରନ୍ତି, ଦିନେ ହେମ ଘରକୁ ଯିବା ବନ୍ଦକରି ତୋ ସଙ୍ଗେ ଆମ ବସାକୁ ତ ଆସିପାରନ୍ତେ-?

 

ମୁଁ ତାଙ୍କୁ ସେଇକଥା କହିଦେବି ?

ଚୋପ୍, ତାଙ୍କୁ କିଛି କହିବାକୁ ମୁଁ କହୁ ନାହିଁ ।

ସେ ତୋତେ ଭଲପାନ୍ତି ଶାନ୍ତି !

 

ଜଣେ ଜଣକୁ ଭଲପାଇବାରେ କେହି ବାଧା ଦେଇୟପାରିବେ ନାହିଁ ତ । ତତେ ଭଲ ପାଇବାଟା ମନ ଭିତରେ ଲୁଚି ରହିବା ଅତି ନିରାପଦ । ମୋର ଧାରଣା କଅଣ ଜାଣୁ ମିନି, ସଂସାରରେ ଅନେକେ ଅନେକଙ୍କୁ ଭଲପାନ୍ତି କିନ୍ତୁ ଭଲ ପାଇବାଟା ଆପେ ଆପେ ଓଲଟି ପଡ଼େ ସମୟ-ସୁଅର ଚଳନ୍ତି ଲହଡ଼ିରେ । ତଥାପି ଲୋକେ ସଂସାର କରନ୍ତି ସୁଖରେ । ସ୍ୱପ୍ନ ପରି ପାସୋରି ଯାନ୍ତି କେବେକାର କେଉଁ ଅନୁଭୂତିଟି । ସମୟ ସବୁ କରିପାରେ ।

 

ମିନତିର ଆଖି ଛଳଛଳ ହେଲା । କହିଲା, ମନର କଥାଟି କହିବି ତୋତେ ? ତୁ କାଳେ ରାଗିବୁ, କାଳେ ତୁ କାନ୍ଦିବୁ ।

 

ଶାନ୍ତି କହିଲା, ତୁନି ହ ମିନି, ମୁଁ ହସିବି । କିନ୍ତୁ କହିବୁ କାହିଁକି ? ତୁ ସିନା ନିଜକୁ ଅତି ଚାଲାଖ ମନେକରୁ, ମୁଁ ଜାଣେ ତୋର କାଣିଚାଏ ବୁଦ୍ଧି ନାହିଁ ।

 

ସେଥିପାଇଁ ଅଙ୍କରେ ଫେଲ୍‌ ହୋଇଛି ।

 

ସେଥିପାଇଁ ନୁହେଁ । ଆରଥର ତ ଅଙ୍କରେ ଶହେ ରଖିଥିଲୁ । ବୃଥା କଥାରେ ତୋର ମନଟାକୁ ତୁ ବାରଆଡ଼େ ଖେଳାଉଛୁ । କି ଲୋ, ଆମକଥା ଭାବିବାକୁ ସଂସାରରେ ଅନେକ ଅଛନ୍ତି-। ଭଲମନ୍ଦ ବୁଝି ସବୁ କରିବେ । ଯେ କୌଣସି ଅବସ୍ଥାରେ ନିଜକୁ ମିଶାଇ ଚଳିବାଭଳି ମନ ଆମର ଥିଲେ ଯଥେଷ୍ଟ । ସେତକ ତୋର ନାହିଁ ।

 

ମିନତି କହିଲା, ସେଇଥିପାଇଁ ପରା କହେ ତୁ ଗୋଟାଏ କାଦୁଅ ମେଞ୍ଚା । ଯେମିତି ଗଢ଼ିବାକୁ ଚାହିଁବୁ ତୋ ମନଟାକୁ ସେମିତି ଗଢ଼ିବୁ । କିନ୍ତୁ ଭଉଣୀ, ମୋର ପଥର ମନଟା ଭାଙ୍ଗିଯିବ ପଛେ ନଇଁବ ନାହିଁ, ଗଢ଼ିହେବ ନାହିଁ ।

 

ପ୍ରତିଭା କବାଟ ଧଡ଼ ଧଡ଼ କରି ଡାକିଲା, କବାଟ ଖୋଲ ଅପା ।

ଶାନ୍ତି କବାଟ ଖୋଲିଲା ।

 

ପ୍ରତିଭା ବଉଳ ଫୁଲର ମାଳଟିଏ ଆଣି ମିନତି ବେକରେ ଝୁଲାଇଦେଲା । ମିନି ତାକୁ କୋଳକୁ ଆଉଜାଇ ତା ମୁହଁରେ ବୋକ ଦେଇ କହିଲା, ତୁ ମୋତେ ଭଲପାଉ ପ୍ରତିଭା ?

 

ହଁ ।

 

ତୁ ମୋ ଭଉଣୀ ହେବୁ ? ମୋ ସଙ୍ଗେ ଆମ ଘରକୁ ଯିବୁ ? ଆଚ୍ଛା, ତୁ ପଦାକୁ ଯା ଖେଳିବୁ, ମୁଁ ଡାକିଲେ ଆସିବୁ ।

 

ପ୍ରତିଭା ଚାଲିଗଲା ।

ମିନତି କହିଲା ଶାନ୍ତି ଗୋଟିଏ ଅନୁରୋଧ କରିବି, ରଖିବୁ ?

ଶୁଣେ କଅଣ ତୋର ଅନୁରୋଧ ।

ତୁ ମୋ ପାଇଁ ଖଣ୍ତେ ଚିଠି ଲେଖିବୁ ?

କାହିଁକି ? ତୋତେ କଅଣ ଲେଖିଆସେ ନାହିଁ କି ?

ମୋତେ ଲାଜ ମାଡ଼ୁଛି ।

କାହା ପାଖକୁ ?

 

ତୁ ଆଗ ଲେଖି ସାରେ । ମୁଁ ଦସ୍ତଖତ କରିବି । ଚିଠି ଲେଖି ସାରିଲେ ତତେ ସବୁକଥା କହିବି ।

 

ଶାନ୍ତି ଟେବୁଲ ଉପରୁ କାଗଜ, କଲମ, ଦୁଆତ ଆଣିଲା ଖଟ ଉପରକୁ । କହିଲା, କଅଣ ଲେଖିବି ?

 

କହୁଚି ଶୁଣ, ଭାରି ଗୁପ୍ତ, ମୋ ମୁଣ୍ତ ଖାଇବୁ, ହେମକୁ କହିବୁ ନାହିଁ ।

 

ମୋ ଉପରେ ତୋର ଏତେ ବିଶ୍ୱାସ କାହିଁକି ମିନି ? ଯଦି ମୁଁ ହେମକୁ କହି ଦିଏଁ ?

ମୋର ମାନମହତ୍ତ୍ୱ ସବୁ ପଦାରେ ପଡ଼ିବ ।

ଶାନ୍ତି କହିଲା, ଆଚ୍ଛା, ଡାକ ତେବେ ।

 

ମିନତି କହିଲା, ଗୋଲ ଗୋଲ କରି ଲେଖିବୁ । ତୋର ସୁନ୍ଦର ଅକ୍ଷର ଯେମିତି ଆହୁରି ସୁନ୍ଦର ଦିଶିବ ।

 

ମିନତି ଡାକିଲା; ଶାନ୍ତି ଲେଖିଲା ।

ସ୍ନେହର–

 

ଦୁନିଆଁରେ ଯିଏ ଯାହାକୁ ଭଲପାଏ ତାକୁ କଅଣ ସେ ପାଇପାରେ ? ତାଙ୍କର ଅଜାଣତରେ ମୋର ଆତ୍ମାଟା ତାଙ୍କର ଗୋଡ଼ତଳେ ଉତ୍ସର୍ଗ କରିଛି; କିନ୍ତୁ ତାଙ୍କୁ ମୁଁ ପାଇପାରିବି ନାହିଁ । ଭାବିଥିଲି, ତତେ ପାଖରେ ପାଇ ଆଜୀବନ ସୁଖୀ ହେବି । ନିୟତିର ଇଚ୍ଛା, ତୋ ପାଖରୁ ଦୂରରେ-ଦୂରରେ ମୋତେ ରହିବାକୁ ହେବ । କିଏ ଜାଣେ, ଯାହାକୁ ମୁଁ ଭଲ ନ ପାଏ ତାକୁ ଘେନି ମୋର ସାରାଜୀବନ ଦୁଃଖରେ ନ କଟିବ ? ଇତି–

 

ଶାନ୍ତି ଚିଠି ଲେଖିସାରି ମନେ ମନେ ପଢ଼ିଲା । ମିନତିର ମୁହଁକୁ ଚାହିଁ ଦେଖିଲା, ସେ ଆଖିରୁ ଲୁହ ପୋଛୁଛି । ବ୍ୟସ୍ତ ହୋଇ ମିନତିର ହାତଧରି ସଜଳ ଆଖିରେ ଅନୁରୋଧ କଲା, ମିନି, ଭଉଣୀ କାନ୍ଦୁଛୁ କାହିଁକି ? କହ କହ, ତତେ ରାଣ ଅଛି, କିଏ ସେ ଭାଗ୍ୟବାନ ଯାହାକୁ ତୁ ଏତେ ଭଲପାଉ । ସତେ କଅଣ ତାଙ୍କୁ ତୁ ପାଇପାରିବୁ ନାହିଁ ମିନି ? କହ ମୁଁ ତୋର ବନ୍ଧୁ, ମୋତେ ତୁ ବିଶ୍ୱାସ କର ।

 

ପାଇପାରିବି ନାହିଁ ଶାନ୍ତି । କାରଣ ଯାହାକୁ ମୁଁ ଭଲପାଏ ହୁଏ ତ ସେ ମୋତେ ଭଲପାନ୍ତି ନାହିଁ କିମ୍ବା ସେ ଜାଣନ୍ତି ନାହିଁ, ମୁଁ ତାଙ୍କୁ ଭଲପାଏ । ଜାଣିବାର ମଧ୍ୟ ଉପାୟ ନାହିଁ ।

 

କିଏ ସେ ମିନି ?

 

ଶୁଣିବୁ ? ନା, ନା, ଆଜି ନୁହେଁ । ମୋତେ କ୍ଷମାକର । ମୁଁ ଆଜି କହିବି ନାହିଁ । ଦିନେ କହିବି, ନିଶ୍ଚୟ କହିବି । ମୋ ଆଖିର ଲୁହ ଶୁଖିଗଲେ କହିବି ଭଉଣୀ !

 

ଚିଠି ଖଣ୍ତି ଭାରି ଯତ୍ନରେ ବ୍ଲାଉଜ ଭିତରେ ଲୁଚାଇ ରଖିଲା ।

ମିନି, ଚିଠି ଖଣ୍ତି ଲେଖୁଛୁ କାହା ପାଖକୁ ?

 

ଜାଣେ ନାହିଁ, ଯାହା ପାଖକୁ ଲେଖୁଛି ତାକୁ ଦେଇପାରିବି କି ନାହିଁ । ଯଦି ନ ପାରେ ତୋରି ଆଗରେ ଏ ଖଣ୍ତ ଦିନେ ଚିରିଦେବି । ଶାନ୍ତି ଏ ବିଷୟରେ ମୋତେ ବେଶି କିଛି ପଚାର ନା । ମୋ ମନରେ ଦୁଃଖ ହେଉଛି ।

 

ଶାନ୍ତି ସହାନୁଭୂତି ଦେଖାଇ କହିଲା; ହେଉ, କିନ୍ତୁ ଭଉଣୀ ଗୋଟାଏ କଥା କହୁଛି ଶୁଣ । ଜାଣି ଜାଣି ମନଟାକୁ ଅନ୍ୟଆଡ଼କୁ ନୁଆଁଇ ଦେବା କାହିଁକି, ପୁଣି ଦିନେ ହତାଶ ହେଲେ ଆଖି ଲୁହରେ ଜୀବନଟା ଭସାଇବା କାହିଁକି ଲୋ ?

 

ମିନତି ଉତ୍ତର ଦେଲା, ମନଟା ଯଦି ଆପେ ନଇଁ ଆସେ ?

 

ସେଇଥିପାଇଁ ତ ମଣିଷର ମନରେ ଦୃଢ଼ତା ଲୋଡ଼ା । ମନଟା ନଇଁ ଆସିବା ସ୍ୱାଭାବିକ ହୋଇପାରେ; କିନ୍ତୁ ମନଟାକୁ ଉଠାଇବା ତ ମଣିଷର କାମ । ନୋହିଲେ ନିଜକୁ ମଣିଷ ବୋଲି ଭାବିବା କାହିଁକି ?

 

ହଁ, କିନ୍ତୁ ଭଉଣୀ, ସବୁ ମଣିଷ ସମାନ ନୁହନ୍ତି । ତୁ କାଦୁଅ ମୁଁ ପଥର । ତୁ ନଇଁଯିବୁ, ଫେରି ଆସିବୁ । ମୁଁ ନଇଁଯିବି, ଭାଙ୍ଗି ପଡ଼ିବି, ଫେରିବି ନାହିଁ । ସତ କହିଲୁ ଶାନ୍ତି, ଜୀବନରେ କଅଣ କେବେ କାହାକୁ ଭଲ ପାଇନୁ ?

 

ଭଲପାଇଛି ଭଲ ଲାଗେ ବୋଲି । ତୋ ପରି ମନରେ ଗୋଟାଏ କଳ୍ପନା ଗୋଟାଏ ଆଶା ରଖି ମୁଁ କାହାରିକି ଭଲ ପାଇ ନାହିଁ, ପାଇବି ନାହିଁ ମଧ୍ୟ । କାହିଁକି ଜାଣୁ ? ତୋ ପରି କାନ୍ଦିବାକୁ ମୁଁ ଚାହେଁ ନାହିଁ ।

 

ମିନତି କହିଲା, ଆଉ, ତୋତେ ଯଦି କେହି ସେପରି ଭଲ ପାଉଥାଏ ?

 

ତାଙ୍କୁ ପାଇଲେ ମୁଁ ଖୁସି ହେବି ମିନି ! କିନ୍ତୁ ଭାବିବୁ ନାହିଁ, ତାଙ୍କୁ ନ ପାଇଲେ ମୁଁ ସୁଖୀ ହେବି ନାହିଁ, କାରଣ, ଯାହାକୁ ମୁଁ ପାଇବି ତାକୁ ପ୍ରାଣ ଦେଇ ଭଲ ପାଇବି । ବୁଝିଲୁ ?

 

ସନ୍ଧ୍ୟା ଆଠଟା । ରଘୁନାଥ ବାବୁ ଓକିଲଙ୍କର ଦୋତାଲା କୋଠା । ତାରି ଆଗର ଫୁଲବଗିଚାର ଗୋଟିଏ ଅଂଶ । ଆଗରେ ପୋଖରୀ କଡ଼ରେ କ୍ରୋଟେନ୍‌ ଜାତୀୟ ଗଛ ଭିତରେ ବିଜୁଳି ଆଲୁଅ ଜଳୁଛି । ଗୋଟିଏ ଗୋଲ ଟେବୁଲ ଚାରିପାଖେ କେତେଗୁଡ଼ିଏ ଚେୟାର ପଡ଼ିଛି । ବୃଦ୍ଧ ରଘୁନାଥବାବୁ ଆରାମ ଚଉକିରେ ବସି ଘର ଭିତରୁ ଭାସିଆସୁଥିବା ହେମର ଗୀତ ଲହରୀରେ ତନ୍ମୟ ହୋଇଛନ୍ତି ।

 

ଗୀତ ବନ୍ଦହେଲା । ରଘୁବାବୁ ଖବରକାଗଜ ଓଲଟାଇ ଚାକରକୁ ଡାକିଲେ-ଶାମା । ଚାକରଟି ପଛଆଡ଼ୁ ଦଉଡ଼ି ଆସିଲା । ସେ କହିଲେ ମାଙ୍କୁ ଡାକିଦେ ତ ! ଚାକର ଚାଲିଗଲା ।

 

କିଛି ସମୟ ପରେ ରୋହିଣୀ ଦେବୀ ଆସିଲେ । ବୟସ ପଚାଶ ପାଖାପାଖି । ତାଙ୍କ ଆଖିରେ ମଧ୍ୟ ଚଷମା । ରୋହିଣୀ ପଚାରିଲେ, ମୋତେ ଡାକୁଥିଲ ?

 

ହଁ, ବ୍ରଜ କାହିଁ ।

ଭାଇ ଭଉଣୀ ଦିହେଁ କ୍ୟାରମ୍‌ ଖେଳିବାକୁ ଉପରକୁ ଗଲେ ।

 

ଶୁଣିଲଣି ଧରଣୀବାବୁଙ୍କର ହାଲ ? ଆରେ, ବାହାଘର ତ ଅଛି ମାସେ ଖଣ୍ତେ । ଆଜିଠାରୁ ଟଙ୍କା ଟଙ୍କା ହୋଇ ସେ ପାଗଳ । ମୁଁ ତାଙ୍କୁ ବାରମ୍ବାର କହିଲି, ଝିଅ ବାହାଘର କରିବେ ବୋଲି ତ ଆଉ କାଙ୍ଗାଳ ହେବ ନାହିଁ । ମୋର ଆଉକିଛି ଲୋଡ଼ା ନାହିଁ । ଶାନ୍ତି ପରି ରତ୍ନଟିକୁ ବୋହୁ କରିନେବି, ଆଉ ଦେବେ କଅଣ ? ମୋତେ ସେ କହିଲେ, ଝିଅ ଜନ୍ମ କରିଛି, ମୋର ଶକ୍ତିକୁ ଅନାଇଁ ଯଦି ତାକୁ ନ ଦିଏଁ, ମନରେ ଶାନ୍ତି ଆସିବ ନାହିଁ । ଚିରଦିନ ଅଶାନ୍ତିରେ ସମୟ କଟିବ ।

 

ଠିକ୍‌ କହିଛନ୍ତି ସେ ବାପ ମାର ମନ ତ ! ବିକି ହୋଇ ଝିଅକୁ ସର୍ବସ୍ୱ ଦେବାକୁ ଇଛାହୁଏ-

 

ରଘୁବାବୁ କହିଲେ, ବିକି ହେବାର ପ୍ରସ୍ତାବ ମଧ୍ୟ ସେ କରିଛନ୍ତି ଦେଖିଲି । ସ୍ତ୍ରୀଙ୍କର ଗହଣା ଗାଣ୍ଠି, ନିଜର ଇନିସିଓରେନ୍‌ସ ପଲିସି, ସବୁ ବନ୍ଧା ଦେଇ ଟଙ୍କା ସାତଶ ବ୍ୟାଙ୍କରୁ କରଜ ନେବାର ବ୍ୟବସ୍ଥା କରିଛନ୍ତି । ମୁଁ ପ୍ରକାରାନ୍ତରରେ ଖବର ପଠାଇଲି, ଯଦି ଟଙ୍କା ଧାର ନେବାର କଥା, ତେବେ ମୋଠାରୁ ନିଅନ୍ତୁ ବିନା ସୁଧରେ । ସେ ନାହିଁ କଲେ । ବନ୍ଧୁ ପାଖରେ ମୁଣ୍ତ ନୁଆଁଇବେ ନାହିଁ । ଏହା କହି ସେ ହସିଲେ ।

 

ରୋହିଣୀ କହିଲେ, ତାହାହେଲେ ତ ନିଜର ସର୍ବନାଶ କରିବାକୁ ଯାଉଛନ୍ତି ସେ ।

 

ସେଇକଥା କହୁଛି ମୁଁ । ଏ ବାହାଘର ବନ୍ଦ କରିବାକୁ ହେବ, ନୋହିଲେ ତାଙ୍କର ସର୍ବନାଶ ହେବ । ଅନ୍ୟ ଉପାୟ ଦେଖୁ ନାହିଁ ।

 

ଗୋଟିଏ ଉପାୟ ଅଛି । ତମେ ବ୍ୟାଙ୍କ୍‌କୁ ଯାଇ କୁହ, ତମ ଦାୟିତ୍ୱରେ ତାଙ୍କୁ ହଜାରେ ଟଙ୍କା ବ୍ୟାଙ୍କ୍‌ କରଜ ଦେଉ ବିନା ବନ୍ଧକରେ । ଅବଶ୍ୟ ସେ ଜାଣିବେ ନାହିଁ । ବିଭାଘର ପରେ ହଜାରେ ଟଙ୍କା ତୁମେ ଦେଇ ହ୍ୟାଣ୍ତନୋଟ ନେଇ ଆସିବ । ତେବେ ତ ହେବ ?

 

ଓକିଲାତି ତୁମଠାରୁ ବି ଶିଖିବାକୁ ହେବ, ଦେଖୁଛି । ଠିକ୍‌ କହିଛ ।

 

ରୋହିଣୀ କହିଲେ ବାହାଘର କି ଆଉ ବନ୍ଦ କରାଯାଇପାରେ ? ଯେଉଁଦିନୁ ସଙ୍କଳ୍ପ କଲିଣି ଶାନ୍ତିକୁ ବୋହୂ କରିବି, ସେହି ଦିନରୁ ମୋ ମନଟା ଆଉ ଭଲ ରହୁନାହିଁ । ପୁଅର ବୟସ ହେଲା । ବୋହୂକୁ ତ ଘରକୁ ଆଣିବାକୁ ହେବ, ଆଉ ଡେରି କାହିଁକି ? ବେଳେ ବେଳେ ମନେହୁଏ ଧାଇଁଯାଇ ଶାନ୍ତିକି କାଖ କରି ଆଣିବି । କେଡ଼େ ଭଲ ପିଲା ସେ ! ସୁନ୍ଦର ଢଙ୍ଗ, ସୁନ୍ଦର ବୁଦ୍ଧି ମହତ-!

 

ଶାନ୍ତି, ଶାନ୍ତି, ହୋଇ ତୁମେ ପାଗଳ ହୋଇଯିବ ଦେଖୁଛି । ଭଲ ପିଲାଟିଏ, ମୁଁ ମନା କରୁନାହିଁ । ବାହାଘର ପରେ ବି ତା’ର ପାଠ ବନ୍ଦ କରାହେବ ନାହିଁ । କିନ୍ତୁ ଗୋଟିଏ କଥା ବାକି ରହିଛି ବ୍ରଜବୋଉ !

 

କଅଣ ?

ବ୍ରଜର ମତାମତ । ତା’ର ଇଚ୍ଛା ବିରୁଦ୍ଧରେ କିଛି କହିବା ମୋର ଅଭିପ୍ରାୟ ନୁହେଁ ।

 

ତା’ର ପୁଣି ଗୋଟାଏ ମତାମତ କଅଣ ? ଯଦି ତା’ର ଆପତ୍ତି କରିବାର କଥା ଥାନ୍ତା, ସେ କେବେଠୁଁ କହିସାରନ୍ତାଣି ।

 

ତାକୁ ନ ପଚାରିଲେ ସେ କିଛି କହିବ ନାହିଁ । ଇଚ୍ଛା ଥାଉ ନ ଥାଉ, ସେ ଆପତ୍ତି ବି କରିବ ନାହିଁ । ତଥାପି ଥରେ ପଚାରି ଦେବା ଭଲ । ତୁମେ ତାକୁ ପଚାର ।

 

ମୁଁ ପଚାରିବି ନାହିଁ । ପଚାରିଲେ ବି ସେ ମୋତେ କହିବ ନାହିଁ । ବରଂ ତୁମେ ପଚାର ।

 

ମୋତେ ବି ସେ କହିବ ନାହିଁ । ଦେଖୁନ କିପରି ଲାଜକୁଳା । ମୋ ସାମନାରେ ସଳଖି ଠିଆହୋଇ ସେ ମୁହଁକୁ ଚାହିଁ କଥା କହେ ନାହିଁ । ଆଚ୍ଛା, ହେମକୁ କହ ।

 

ହେମକୁ କହିଥିଲି । ବାହାଘର କଥା ସେ ଭାଇକି ପଚାରିବ କେମିତି ? ତାକୁ ଭାରି ଲାଜ ମାଡ଼ୁଛି । ଆଚ୍ଛା, ମୁଁ ମିନିକୁ କହେ, ମିନି ତା ସଙ୍ଗେ କଜିଆ କରେ, ତର୍କ କରେ, ନିଃସଙ୍କୋଚରେ । ସେ ତାକୁ ମୁହେଁ ମୁହେଁ ପଚାରି ଦେବ । ମିନି ଯେମିତି ବୁଦ୍ଧିଆ ପିଲା, ବ୍ରଜ ପେଟରୁ ସେ କଥା କାଢ଼ି ଆଣିବ । ସେ ଆସୁ ।

 

ରଘୁବାବୁ କହିଲେ, ତେବେ ସେଇଆ କର । ବେଳେ ବେଳେ କଅଣ ଭାବେ ଜାଣ ? ଗୋକୁଳି ମୋର ପିଲାଦିନର ସାଙ୍ଗ । ଏଡ଼େ ଆତ୍ମୀୟ, ତୁମେ ତ ଦେଖିଛ ତାକୁ ଅନେକ ଥର । ମିନିଟି ପେଟରେ ଥିଲା, ସେ ମରିଛି । ମିନିଟିକୁ ଯଦି ବୋହୂ କରି ଆଣନ୍ତି ? ସେ ବି ଭାରି ଭଲ ପିଲା !

 

ଭାରି ଭଲ ପିଲା ସତରେ; କିନ୍ତୁ ବଦଳକନ୍ୟା କରିବା କଅଣ ଠିକ୍‌ ହେବ ? ହେମକୁ ବୋହୂ କରିବାକୁ ରାଜୁ ବୋଉର ଭାରି ଇଚ୍ଛା । ରାଜୁଟିକୁ ଯଦି ଜ୍ୱାଇଁ କରେ, ହେମ ପାଇଁ, କେଡ଼େ ନିଶ୍ଚିନ୍ତ ହେବି ମୁଁ । ଏକ ପ୍ରକାର ଜବାବ ତ ଦିଆସରିଛି ।

 

ବଦଳ କନ୍ୟାରେ ଆପତ୍ତି କଅଣ ? ଝିଅ ଦେଇ ଝିଅ ପାଇବ । ମିନି ବି ତୁମକୁ ମା ବୋଲି ଡାକେ ପିଲାଦିନୁଁ । ହେମ ପର ଘରକୁ ଗଲେ ବି ମା ଡାକ ତୁମର ବନ୍ଦ ହେବ ନାହିଁ । ଟିକିଏ ଭାବି ପୁଣି କହିଲେ, କିନ୍ତୁ, ଧରଣୀବାବୁଙ୍କୁ ଯେ ପକ୍‌କା ଜବାବ ଦିଆସରିଛି ।

 

ରୋହିଣୀ କହିଲେ, ତା ଛଡ଼ା ବ୍ରଜର ଆଉ ମିନିର ମୋଟେ ପଡ଼ିବ ନାହିଁ । କେହି କାହାର ଶିରୀ ଦେଖିପାରନ୍ତି ନାହିଁ । ଦିହେଁ ଯଦି ଘଡ଼ିଏ ଏକାଠି ହେବେ ଚାଲିଲା କଜିଆ । କେତେ ଏବେ ତାଙ୍କ ନାଲିଶ୍ ଶୁଣିବ ? ବଡ଼ ଉଦ୍ଦଣ୍ତୀଟା ।

 

ରଘୁବାବୁ ଆଉ ଖଣ୍ତେ ସିଗାରେଟ୍‌ ମୁହଁରେ ଲଗାଇ ଟିକିଏ ଚିନ୍ତାକରି କହିଲେ, ମନେ ରଖିଥାଅ, ମିନି ମୋର ଝିଅ । ଗୋକୁଳି ମରିଛି । ବାପା ବୋଲି ମିନି ମୋ ଛଡ଼ା ଆଉ କାହାକୁ ଜାଣେ ନାହିଁ । ତା ପାଇଁ ଏମିତି ପିଲାଟିଏ ଖୋଜି ବାହାର କରିବି, ତୁମ ହେମପାଇଁ ତୁମେ ଅନୁତାପ କରୁଥିବ । ସେ ହସିବାକୁ ଲାଗିଲେ । ଯୋତାର ଶବ୍ଦ ଶୁଣି ପଛକୁ ଚାହିଁଲେ । ରାଜୁ ଆସି ଉଭୟଙ୍କୁ ନମସ୍କାର ହେଲା ।

 

ରୋହିଣୀ ଚଉକିରୁ ଉଠି ସହାସ୍ୟ ବଦନରେ କହିଲେ, କେତେଦିନ ହେଲା ତୋର ଦେଖା ନ ଥିଲା କାହିଁକି ବାପ ? ଦିନେ ତୋତେ ନ ଦେଖିଲେ ମନଟା ଘାଣ୍ଟି ହୁଏ । ଆ, ବଅ ।

 

ଲାଜ ଲାଜ ହୋଇ ରାଜୁ ଗୋଟିଏ ଚଉକିରେ ବସିଲା । ରୋହିଣୀ ତା ପାଖରେ ବସିଲେ । କହିଲେ, ମିନିଟାକୁ ସାଙ୍ଗରେ ଆଣିଲୁ ନାହିଁ ? କେତେଦିନୁଁ ତା’ର ପାଟି ଶୁଣିନାହିଁ ବାପ ! କାନଟା ବଧିର ହୋଇଗଲାଣି ।

 

ଆଉ ତା’ର ତର୍କ, ତା’ର ପାଟି ଶୁଣି ଶୁଣି ଆମର କାନ ବଧିରା ହୋଇଗଲାଣି । ତାକୁ ଏଠିକି ନେଇ ଆସିଲେ ଟିକିଏ ନିଶ୍ଚିନ୍ତ ହେବୁଁ ।

 

ରଘୁବାବୁ ହସି ହସି କହିଲେ, ବେଶ୍‌ ତାକୁ ଆଣି ମୋ ପାଖରେ ଛାଡ଼ି ଦେଇ ଯା । ସେମିତିକା ଝିଅ ତ ମୋର ଦରକାର । ତର୍କ କରିବା ଓ ତର୍କ ଶୁଣିବା ମୋର ଅଭ୍ୟାସ ପାଲଟି ଗଲାଣି । ପଛଆଡ଼କୁ ଚାହିଁ କହିଲେ, ଆରେ ଶାମା, ବ୍ରଜକୁ ଡାକିଦେ । ରାଜୁ ଆସିଛି ।

 

ଶାମା ଚାଲିଗଲା ।

 

ରାଜୁ କହିଲା, ମୁଁ ଘରୁ ବାହାରିଲାବେଳେ ମିନି ବୋଉ ପାଖରେ ବସି କଅଣ ତର୍କ କରୁଥିଲା । ମିନିର କାଲି ଜନ୍ମ ଦିନ । ବୋଉ ସଙ୍ଗେ ବସି ଠିକ୍‌ କରୁଛି କାହାକୁ କାହାକୁ ନିମନ୍ତ୍ରଣ କରିବ । ଦିପହରୁ ମୋତେ କହିଛି କାର୍‌ଟା ଯେମିତି ମୁଁ କୁଆଡ଼େ ନ ନିଏଁ, ସେ ଆଜି ନିମନ୍ତ୍ରଣ କରିବାକୁ ଯିବ ।

 

ରଘୁବାବୁ କହିଲେ, ମିନିକି ଦେଖିଲେ ମୋର କଅଣ ମନେହୁଏ ଜାଣ ବ୍ରଜବୋଉ ? ମୁଁ ଭାବେଁ, ତା ପରି ଝିଅ ଯାହାର ଅଛି ସେ ପୁଅଝିଅର ପ୍ରଭେଦ ଭୁଲିଯିବ ।

 

ଚାକର ଆସି କହିଲା, ବ୍ରଜବାବୁ ଟିକିଏ ଛାଡ଼ି କରି ଆସୁଛନ୍ତି । ସେ ତିନି ବୋଝ ଖାଇଲେଣି । ଆଉଥରେ ଖେଳ ଅଧା ହୋଇଛି ।

 

ରୋହିଣୀ କହିଲେ, ସବୁ କାମକୁ ବ୍ରଜଟା ନିକମା । ଖାଲି ସବୁବେଳେ ବହି ଧରି ବସି ପଢ଼ିବ, ନୋହିଲେ ଲେଖୁଥିବ ।

 

ରଘୁବାବୁ କହିଲେ, ସେଇଥିପାଇଁ କହିଲି, ବ୍ରଜ ପରି ପୁଅକୁ ବଦଳ ଦେଇ ମିନି ପରି ଝିଅକୁ ମୁଁ ନେବାକୁ ଚାହେଁ ।

 

ରୋହିଣୀ କହିଲେ, ବଦଳ ଦେବ କାହିଁକି, ମିନି କଅଣ ତୁମର ଝିଅ ନୁହେଁ ?

ରାଜୁ କହିଲା, ଆପଣଙ୍କ ଆଖିକୁ ତା’ର ଦୋଷଗୁଡ଼ା ଦେଖାଯାଏ ନାହିଁ ।

ଆରେ, ଏ ଯୁଗ ସେମିତିକା ଝିଅ ଚାହୁଁଛି ।

ରଘୁବାବୁ ଉଠି କହିଲେ, ତୁମେ ବସି ଗଳ୍ପ କରୁଥାଅ, ମୁଁ ଯାଏଁ ।

ରଘୁବାବୁ ଲାଇବ୍ରେରୀଆଡ଼େ ଚାଲିଗଲେ ।

ହସି ହସି ବ୍ରଜ ପହଞ୍ଚିଲା । କହିଲା, ହେମ ମୋତେ ତିନିବୋଝ ଦେଲା, ଆଉ ଗୋଟିଏ ଦେଇଥାନ୍ତା, ଅଧା ଖେଳରୁ ଉଠି ପଳାଇ ଆସିଲି । ତେଣେ ସେ ଚିଡ଼ୁଛି । ମୋ ପଛରେ ଗୋଡ଼ାଇ ଆସୁଥିଲା, ରାଜୁକୁ ଦେଖି ଛୁଟି ପଳାଇଛି !

ରୋହିଣୀ କହିଲେ, ଛୋପରା ହେଉଛି, ରାଜୁ କଅଣ ବାଘ ନା ସାପ ! ଯାଏଁ, ଏକୁଟିଆ ତେଣେ ସେ କାମୁଡ଼ି ହେଉଥିବ । ରୋହିଣୀ ଉଠିଗଲେ ।

ଟେବୁଲ୍‌ ଉପରେ ରଘୁବାବୁ ଛାଡ଼ିଯାଇଥିବା ସିଗାରେଟ୍‌ ଟିଣରୁ ଖଣ୍ତେ ମୁହଁରେ ଲଗାଇ ରାଜୁ ଆରମ୍ଭକଲା, ଗୋଟିଏ ବଡ଼ ବିଷୟ ନେଇ ମୁଁ ତୋ ପାଖକୁ ଆସିଛି । ଘଟଣାଟି ଗୁରୁତର । ଅନେକ ଭାବିଲି; କିନ୍ତୁ କିଛି ସ୍ଥିରକରି ପାରିଲି ନାହିଁ । ବ୍ରଜ ପଚାରିଲା, ଶୁଣେ କଅଣ ହେଇଛି ? ଚିନ୍ତିତ ଦେଖାଯାଉଛୁ ତ !

ରାଜୁ କହିଲା, ଟିକିଏ ଅପେକ୍ଷା କର । କହିବି କି ନାହିଁ ମୁଁ ଚିନ୍ତା କରେ ।

ଏତେବେଳଯାଏଁ ଏ କଥାଟା ସ୍ଥିର ନ କରି ଟପିକ୍‌ଟା ଖୋଲିଲୁ କାହିଁକି ? ଆଚ୍ଛା, ସେ କଥା ତୁ ଭାବୁଥା, ବାଇ-ଦି-ବାଇ ଏ ମାସ ସହକାରରେ ମୋର ଯେଉଁ ଗଳ୍ପଟା ବାହାରିଛି ପଢ଼ିଛୁ ନା-?

ସହକାରଟା ମିନି ନେଇ ରଖିଛି । ତୋରି ଗଳ୍ପଟା ହେବ କି କଅଣ, ନାଲି ନେଳି ଗାର ପକାଇ କଦାକାର କରିଦେଲାଣି । ଖାଲି ଏତିକି ମୋତେ କହୁଥିଲା, ଭାଇ, ତମର ବନ୍ଧୁଙ୍କୁ କହିଦେବ ମିନି ସଙ୍ଗେ ଝଗଡ଼ା କରିବାକୁ ପ୍ରସ୍ତୁତ ଥିବେ ।

ସତେ ?

କଅଣ ଲେଖିଛୁ କି ?

ଗଳ୍ପ, ସାଇକୋଲଜି ।

ରଖ୍‌ ତୋର ସଇତାନୋଲଜି । ସେ ସବୁ ଆଉ ଭଲ ଲାଗୁ ନାହିଁ ।

କଅଣ ତେବେ ଭଲ ଲାଗୁଛି ?

କ୍ରିମିନୋଲଜି, ଡିଟେକ୍‌ଟିଭ୍‌ୱାର୍କ ।

ରାଜୁ ପକେଟରୁ ଖଣ୍ତେ କାଗଜ କାଢ଼ି ବ୍ରଜର ହାତକୁ ଦେଇ କହିଲା ଏ କାଗଜର ଇତିହାସଟା ଆଗ ଶୁଣ, ତା’ ପରେ ପଢ଼ିବୁ । ବାଟରେ ଆସୁଛି ଚାଲି ଚାଲି ହଠାତ୍‌ ନଜର ପଡ଼ିଲା ରାସ୍ତା କଡ଼ରେ । ସୁନ୍ଦର ହସ୍ତାକ୍ଷର ଦେଖି ଉଠାଇ ନେଲି । ପଢ଼ି କିଛି ବୁଝିପାରିଲି ନାହିଁ । ତୁ କଅଣ ବୁଝୁଛୁ କହିଲୁ ?

ବ୍ରଜ ତନ୍ମୟ ହୋଇ ପଢ଼ିବାକୁ ଲାଗିଲା । ପଢ଼ୁ ପଢ଼ୁ ତା’ର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ଓଠରେ ହସ ପୂରିଗଲା । କହିଲା, ପିଓର୍‌ ସାଇକୋଲଜି, ଏଥିରେ ଆଉ ବୁଝିବାର କଅଣ ଅଛି, ସବୁ ତ ବୁଝାପଡ଼ୁଛି । ଯେଉଁଠୁ ଆଣିଥିଲୁ ତୁନିକରି ସେଇଠି ରଖିଦେଇ ଆ । କେହି ଯେପରି ନ ଜାଣନ୍ତି-

ରାଜୁ ମୁହଁ ଗମ୍ଭୀର କରି କହିଲା, ଲେଖିଛି କିଏ, କାହା ପାଖକୁ ବା ଲେଖିଛି, କିଛି ଜଣାପଡ଼ୁ ନାହିଁ ।

ବ୍ରଜ ହସି ହସି କହିଲା, ସବୁ ଜଣାପଡୁଛି । ତେବେ, ଚିଠିଟା ତୁ ବାଟରୁ ପାଇନୁ, ପାଇଛୁ ତୋ ଘରୁ ।

ରାଜୁ ଚମକି ଉଠି କହିଲା, ହଁ ଘରୁ ପାଇଛି । ହସ୍ତାକ୍ଷରଟା ମିନିର ହସ୍ତାକ୍ଷର ପରି ଦିଶୁଛି ନା !

ହୋଇପାରେ, ନୋହିଲେ ଆଉ କାହାର ବି ହୋଇପାରେ !

ଅର୍ଥାତ୍‌ ?

ତୁ ଗୋଟିଏ ଫୁଲ୍‌ ।

ଚିଠିଟା କଅଣ ତୋ ଉଦ୍ଦେଶ୍ୟରେ ?

ଉଁ ହୁଁ, ତୋ ଉଦ୍ଦେଶ୍ୟରେ ।

ଅର୍ଥାତ୍‌ ?

ତୁ ଗୋଟିଏ ଫୁଲ୍ । ଚୋରି କରି ଆଣିଛୁ ତ ?

 

ଆବା କାବା ହୋଇ ବ୍ରଜର ମୁହକୁ ଚାହିଁଲା ରାଜୁ । ତା ମୁଣ୍ତ ଭ୍ରମିଗଲା । ହୁଏତ ବ୍ରଜ ସବୁ ଜାଣେ, ନୋହିଲେ ସେ ଯାଦୁକର ।

 

ମୋତେ ଅବାକ୍‌ କଲୁ ଭାଇ । କଥା କଅଣ ଟିକେ ବୁଝାଇ କହ । ମୋଟାବୁଦ୍ଧି ଭିତରେ ମୋର କିଛି ପଶୁନାହିଁ ।

ବ୍ରଜ କହିଲା, ହସ୍ତାକ୍ଷରଟା ମିନିର ନୁହେଁ, ଶାନ୍ତିର ।

ଶାନ୍ତିର ? ଅସମ୍ଭବ !

ପ୍ରମାଣଟା ଶୀଘ୍ର ପାଇଯିବୁ ଯେ । ସାପ ଗାତର ଡିମ୍ବ ଚୋରି କରିଛୁ, ସାବଧାନ । ସାପ ତୋ ପଛରେ ଗୋଡ଼ାଇଛି ମନେ ରଖିଥା ।

ବୁଝାଇ କହ, ବୁଝିପାରୁ ନାହିଁ ।

ଆରେ, ହେମ ବେଳେ ବେଳେ ଶାନ୍ତିର ଖାତା ଘରକୁ ଆଣେ । ମୁଁ ତା’ର ହସ୍ତାକ୍ଷର ଦେଖିଛି । ଅବିକଳ ଏମିତି ।

ଶାନ୍ତିର ଅଧା ଲେଖା ଚିଠିଟା ମିନିର ଅଙ୍କବହି ଭିତରୁ ବାହାରିଲା କାହିଁକି ?

ବହିଟା ତୋ ଟେବୁଲ ଉପରେ ଥିଲା ପରା !

ନିଶ୍ଚୟ ।

ତେବେ ତ ଠିକ୍‌ ହେଲାରେ । ମିନି ସେ ଖଣ୍ତ ଶାନ୍ତିଠୁ ଛଡ଼ାଇ ଆଣିଛି । ଭାରି ଚାଲାଖ ସେ । ତୋ ଜାଣିବାପାଇଁ ତୋରି ଟେବୁଲରେ ରଖିଛି । ମିନି ୟା ବି ଜାଣେ ଯେ, ତୁ ନିଶ୍ଚୟ ମୋତେ ଦେଖାଇବୁ ।

କିନ୍ତୁ ୟାର ଅର୍ଥ କଅଣ ?

ବ୍ରଜ କହିଲା, ବିଭାଘର ଯେଉଁଠି ହେଲେ ତ ହେବ ।

ବୁଝିପାରୁନୁ ? କାନଟା ଏଣେ ଆଣତ..... ତା’ର କାନଟା ଧରି ନିଜ ଆଡ଼କୁ ମୁଣ୍ତ ନୁଆଇଁ ଆଣିଲା । ତୁନି ତୁନି କରି କଅଣ କହିଲା ।

ରାଜୁ ଆଶ୍ଚର୍ଯ୍ୟ ହୋଇ କହିଲା, ଏଁ, ମୁଁ ସ୍ୱପ୍ନରେ କେବେ ଏ କଥା ଭାବି ନାହିଁ !

ଭାବିବା ଦରକାର ବି ନାହିଁ । ମିନିକୁ ଧନ୍ୟବାଦ ଦେବୁ କି ନାହିଁ କହିଲୁ ? ସେ ତା’ର କର୍ତ୍ତବ୍ୟ କଲା । ଏଣିକି ଭଲ ମନ୍ଦ କଥା ଆମର ।

ଶାନ୍ତି ଯାହା ଲେଖିଛି ସେଟା କଅଣ ତା’ର ହୃଦୟର କଥା ?

ନୋହିଲେ ସେ ଲେଖନ୍ତା କାହିଁକି ? ଶାନ୍ତି ପରି ପିଲା, କେବେ ମିଛ ଲେଖିବ ନାହିଁ ।

ରାଜୁ କହିଲା, ମୁଁ କେବେ ତାକୁ ଭଲ ପାଇ ନାହିଁ ।

ମିଥ୍ୟାବାଦୀ, ତା’ ହୋଇ ନ ଥିଲେ ଶାନ୍ତି ମନରେ ଏପରି ଗୋଟାଏ ଭାବ ଆସନ୍ତା ନାହିଁ-

ଅସମ୍ଭବ । ଏକଥା କେବେ ହୋଇପାରିବ ନାହିଁ । ଜୀବନରେ କାହାକୁ ମୁଁ କେବେ ପ୍ରେମଚକ୍ଷୁରେ ଦେଖି ନାହିଁ । ହସି କରି ପଦେ କଥା କହିବା କି ଭଦ୍ରତା ଖାତିର୍‌ରେ ଗୋଟାଏ ଅନୁରୋଧ ରକ୍ଷା କରିବା ପ୍ରେମର ସଙ୍କେତ ନୁହେଁ ।

 

ଠିକ୍, ତେବେ ଅସ୍ୱୀକାର କରିବାଟା ବେଳେ ବେଳେ ପ୍ରେମର ସୂଚନା ଦେଇଥାଏ । ଛାଡ଼, ସେଥିରୁ ମିଳିବ କଅଣ । ଚିଠି ଖଣ୍ତି ଶୀଘ୍ର ନେଇ ଯଥା ସ୍ଥାନରେ ରଖି ଏଥର ଆୟୋଜନରେ ଲାଗିଯା ।

 

କି ଆୟୋଜନ ?

 

ରାଜୁ ଚିଠିଖଣ୍ତି ପକେଟରେ ରଖିଲା । କେଜାଣି କାହିଁକି ଦୁଇବନ୍ଧୁ ଚିନ୍ତାମଗ୍ନ ହୋଇ କିଛି ସମୟ ବସି ରହିଲେ ।

 

ତାଙ୍କର ଭାବନା ଭାଙ୍ଗିଲା ମିନତିର କଥା ଶୁଣି । ମିନତି କହୁଛି, ଠିଆହେଲୁ କାହିଁକି ? ହେମ ଓ, ଭାଇଙ୍କୁ ଦେଖି ? ଆହା, ମରଣ ନାହିଁ ଲୋ ତୋତେ । ଜଣେଇ ହେଉଛୁ ନାଁ ?

 

ମିନତିର ପଛେ ପଛେ ହେମ ଆସି ଲାଜ ଲାଜ ହୋଇ ବ୍ରଜର ଚଉକିକୁ ଆଉଜି ଠିଆହେଲା । ମିନତି ରାଜୁର ଚଉକି ପାଖରେ ଆଉ ଗୋଟିଏ ଚଉକିରେ ବସି କହିଲା, ନମସ୍କାର ବ୍ରଜ ବାବୁ ।

 

ନମସ୍କାର ମିନି ଦେବୀ !!

 

ଆପଣଙ୍କର ମା ମୋ ଉପରେ ଗୋଟାଏ ବଡ଼ ଦାୟିତ୍ୱ ଲଦି ଦେଇଛନ୍ତି । ଟିକିଏ ଗୁପ୍ତ । ଯଦି ଆପତ୍ତି ନ ଥାଏ–

 

ରାଜୁ ବିରକ୍ତ ହୋଇ କହିଲା ଫାଜିଲ୍‌, ଭଦ୍ରତା ଶିଖିଲୁ ନାହିଁ ?

ଆପଣ ଯେମିତି ଶିଖାଇଛନ୍ତି ।

ଦେବି ଗୋଟାଏ ଥାପଡ଼ ଯେ....

ତା’ ହେଲେ କଅଣ ଭଦ୍ରତା ଶିକ୍ଷା ହୋଇଯିବ ?

ବ୍ରଜ ବାଧାଦେଇ କହିଲା, କଅଣ କହୁଛି ସେ ଶୁଣ ।

ବିରକ୍ତ ହୋଇ ରାଜୁ ଚଉକି ବୁଲାଇ ବସିଲା ।

ମିନତି କହିଲା, ତୁ ତେଣିକି ମୁହଁ କର ହେମ ।

ହେମ କହିଲା, ଫାଜିଲ୍‌ । ବିରକ୍ତ ହୋଇ ଚାଲିଗଲା ।

ମିନତି ପଛରୁ ଡାକି କହିଲା, କାଲି ମୋ ଜନ୍ମଦିନ । ନିମନ୍ତ୍ରଣ ଭୁଲିବୁ ନାହିଁ ହେମ !

ରାଜୁ ଉଠି କହିଲା, ଯାଉଛି ବ୍ରଜ । ନମସ୍କାର ।

ମିନତି କହିଲା, ରହ ଭାଇ, ଯିବ କୁଆଡ଼େ ? ହେମ ଚାଲିଗଲା ବୋଲି–

ଚୋ.....ପ୍‌ ।

 

ମିନତି ଉଠିଯାଇ ରାଜୁର ହାତ ଧରି କହିଲା, ମୋ ଦୋଷ କ୍ଷମା କର ଭାଇ, ତମ ମନରେ କଷ୍ଟ ଦେଇଛି ନା ? ସତରେ ଭାଇ, ମା ମୋ ଉପରେ ଗୋଟାଏ ବଡ଼ ଦାୟିତ୍ୱ ଲଦି ଦେଇଛନ୍ତି । ତୁମେ ନ ଥିଲେ ମୁଁ କିଛି କହିପାରିବି ନାହିଁ । ତମର ଗୋଡ଼ ଧରୁଛି, ଆଉ ତମ ମନରେ କଷ୍ଟ ଦେବିନାହିଁ । ରହ, ଏକାସାଙ୍ଗେ ଯିବା ।

 

ତୁ ଭଦ୍ରତା ରଖି କଥା କହିବୁ ?

 

ରାଜୁ ଫେରିଆସିଲା ଚଉକିକୁ । ମିନତି ଚଉକି ବାଡ଼କୁ ଆଉଜି ଠିଆହେଲା । ଗୋଡ଼ ଚିପି ଚିପି ରୋହିଣୀ ନୀରବରେ ଆସି ବଡ଼ କ୍ରୋଟେନ୍‌ ଗଛର ପଛଆଡ଼େ ଠିଆ ହେଲେ ସମସ୍ତଙ୍କ ଅଜାଣତରେ ।

 

ବ୍ରଜ କହିଲା, ବସ୍‌ ମିନି ।

 

ବସିବି ନାହିଁ, ଭାଇ ଚିଡ଼ୁଛନ୍ତି । ଏତେ ଅବତରଣିକାରୁ କଅଣ ମିଳିବ ? ମୋଟ କଥା, ଆପଣଙ୍କର ବୋଉ ଜାଣିବାକୁ ଚାହାନ୍ତି, ଶାନ୍ତି ବିଷୟରେ ଯେ ଆପଣଙ୍କର ବାହାଘର ସ୍ଥିର ହେଇଛି, ସେଥିରେ ଆପଣଙ୍କର ମତ କଅଣ । ଅର୍ଥାତ୍‌, କିଛି ଆପିତ୍ତି ନାହିଁ ତ ?

 

ବ୍ରଜ ପଚାରିଲା, ଏତେ ଲୋକ ଥାଉ ଥାଉ ତୋ ଉପରେ ସେ ଭାରଟା ଦେଲେ କାହିଁକି-?

 

ଆପଣ ହୁଏତ ଆଉ କାହାକୁ କହିବେ ନାହିଁ ।

 

ସତରେ ଏକା ଆଉ କାହାକୁ କହନ୍ତି ନାହିଁ । ତେବେ ତୋତେ ଯେ ଠିକ୍‌ କଥାଟା କହିବି, ତା’ର କି ପ୍ରମାଣ ଅଛି ?

 

ପ୍ରମାଣ ଆପଣଙ୍କର କଥା । ମୋତେ ଯାହା କହିବେ ଠିକ୍‌ ତାହାହିଁ ହେବ । ଭାଇ ବସିଛନ୍ତି ସାକ୍ଷୀ ।

 

ଗଛ ଉହାଡ଼ରେ ରୋହିଣୀ ଆଗ୍ରହରେ ଅନାଇଁ ରହିଲେ ।

ବ୍ରଜ କହିଲା, ଶାନ୍ତି ବିଷୟରେ ବାପା ଠିକ୍‌ କରିଛନ୍ତି ।

ମିନତି କହିଲା, ଆପଣ ସେ କଥା ବୋଧହୁଏ ଜାଣନ୍ତି ?

ହଁ ଜାଣେ । ମୋର ମତାମତ ଚାହିଁଛନ୍ତି ?

ହଁ ।

 

ବାପା ଯାହା ଠିକ୍‌ କରିଛନ୍ତି ସେଥିରେ ଆପତ୍ତି କରିବାରେ ମୋର କୌଣସି କାରଣ ନାହିଁ-

 

ଆନନ୍ଦରେ ରୋହିଣୀଙ୍କର ମୁହଁ ପ୍ରଫୁଲ୍ଲ ଦେଖାଗଲା । ଓଠରେ ହସ ଖେଳିଗଲା; କିନ୍ତୁ ମିନତିର ମୁହଁର ସରସତା ମଳିନ ହେଲା । ତୁଣ୍ତରୁ ତା’ର କଥା ବାହାରିଲା ନାହିଁ । କ୍ଷଣକାଳ ବ୍ରଜ ତା’ର ମୁହଁର ଭାବ ଦେଖି ଆମୋଦ ଅନୁଭବ କଲା ।

 

ଆଉ କଅଣ ?

କିଛି ନାହିଁ । ମାଙ୍କୁ ମୁଁ କହି ଆସେ ।

ମିନତି ଯିବାକୁ ଉଦ୍ୟତ ହେଲା ।

ବ୍ରଜ କହିଲା, ମିନି, ସହକାରରେ ଯେଉଁ ଗଳ୍ପଟା ମୋର ବାହାରିଛି ତୁ ପଢ଼ିଛୁ ?

ମିନତି ରହି ରହି କହିଲା, ନା-ଆଁ ।

କାଇଁକି ?

ତୁମର ଗଳ୍ପ ପଢ଼ିବାକୁ ମୋତେ ଭଲ ଲାଗେ ନାହିଁ ।

କାରଣ ?

 

ତୁମ ଗଳ୍ପରେ ଜୀବନ ନ ଥାଏ । ତୁମେ ଯାହା ଲେଖ ତାହା ନିଜେ ବୁଝନା । ଆହୁରି ମଧ୍ୟ–

 

ଆହୁରି ମଧ୍ୟ ?

ଜାଣିବା ଆପଣଙ୍କର ଦରକାର ନାହିଁ ।

ଆଖି ଛଳଛଳ ହେଲା ।

ତେଣେ ରୋହିଣୀଙ୍କର ମୁହଁ ଢାଙ୍କି ହୋଇଗଲା ଚିନ୍ତାର ବଉଦରେ ।

ରାଜୁ ପଚାରିଲା, ତୁ ପରା ମାଙ୍କୁ କଅଣ କହିଯିବୁ ଲୋ ?

ଦରକାର ନାହିଁ । ସେ ବଳେ ଜାଣିବେ । ତୁମେ କାଲି କହିଦେବ ଭାଇ ।

ବ୍ରଜ ପଚାରିଲା, ତୁ କଅଣ ଭାବିଥିଲୁ....

ମିନତି କହିଲା, ମୁଁ କିଛି ଭାବି ନାହିଁ ।

ରାଜୁର ହାତ ଧରି ଟାଣି କହିଲା, ଆସ ଭାଇ, ଯିବା । ମୋର ମୁଣ୍ତଟା ଭାରି ବଥଉଛି ।

ରାଜୁ ଉଠି ଠିଆହେଲା ।

ଆସ ଭାଇ ।

ଆଖିରୁ ଝରିପଡ଼ିଲା ଲୁହ ।

ରୋହିଣୀଙ୍କର ଆଖି କେଜାଣି କାହିଁକି ଛଳ ଛଳ ହେଲା । ବ୍ରଜର ଆଖି ଉଜ୍ଜ୍ୱଳ ଦେଖାଗଲା । ବ୍ରଜ କହିଲା, ଅମୃତାଞ୍ଜନ ମଗାଇବି ମିନି ?

ଦରକାର ନାହିଁ ।

ରୋହିଣୀ ଆଖିରୁ ଲୁହ ପୋଛି ବାହାରି ଆସିଲେ ଆଗକୁ । ତାଙ୍କୁ ଦେଖି ବ୍ରଜ ଠିଆହୋଇ ପଡ଼ିଲା ।

ରୋହିଣୀ କାହାକୁ କିଛି ନ କହି ମିନତିର ହାତ ଧରି ଆର୍ଦ୍ର କଣ୍ଠରେ କହିଲେ, କ’ଣ ହେଲା ମା ?

ମିନତି ଆଖିରୁ ଲୁହ ପୋଛି ଓଠ ଉପରକୁ ହସ ଟାଣି ମୁଣ୍ତ ହଲାଇ କହିଲା, କିଛି ନାହିଁ, ମୋ ମୁଣ୍ତ ବଥଉଛି ।

ରୋହିଣୀ ହସି ହସି ତାକୁ ଛାତିକୁ ଆଉଜାଇ ନେଲେ । ଛାତି ଉପରେ ତା’ର ମୁଣ୍ତଟି ରଖି କହିଲେ, ଏଥର ଭଲ ହୋଇଯିବ । ନୁହେଁରେ ବ୍ରଜ ?

ବ୍ରଜ ମୁଣ୍ତ ନୁଆଇଁଲା ।

ରାଜୁର ଡ୍ରଇଂ ରୁମ୍‌ । ରାତି ପ୍ରାୟ ଆଠଟା । ବିଜୁଳି ଆଲୁଅରେ ଘରଟି ଉଜ୍ଜ୍ୱଳ ଦିଶୁଛି । ମିନତି ଧୀରେ ଧୀରେ ଆରଘରେ ପଶିଲା । ଏଣିକି ତେଣିକି ଚାହିଁ କାନି ଭିତରୁ ଖଣ୍ତେ ଫଟୋ କାଢ଼ି ରାଜୁର ଟେବୁଲ ଡ୍ରୟର୍‌ ଭିତରେ ରଖିଲା । କେଣ୍ତାଏ ଚମ୍ପାଫୁଲର ମାଳ ଫଟୋ ଉପରେ ରଖି ଡ୍ରୟର୍‌ଟା ଠେଲି ବନ୍ଦକଲା । ମନକୁ ମନ ହସି ପିଆନୋ ପାଖକୁ ଯାଇ ଗୀତ ଆରମ୍ଭ କଲା ।

 

ରାଜୁ ଘର ଭିତରକୁ ପଶିଲା, ଡାକିଲା ମିନି–

ଆଜ୍ଞା !

ଭାରି ଭକ୍ତି ତ ?

ମୋ ସଙ୍ଗେ ଲାଗନା କହୁଛି ।

ତୁ ପୁଣି ଏ ଘରେ ପଶିଲୁ କାହିଁକି ?

 

ଭାଇ, ଆଜି ଦିନକ ମୋତେ କ୍ଷମାକର । ମୋର ଜନ୍ମଦିନ । ଶାନ୍ତି ଆସିବ, ହେମ ଆସିବ, ମାଉସୀ ଆସିବେ, ମା ଆସିବେ । ଉପରେ ଜାଗା ନାହିଁ ।

 

ଆଉ ବ୍ରଜ ଆସିବ, ରଘୁବାବୁ ଆସିବେ, ଧରଣୀବାବୁ ଆସିବେ, ଏମାନେ ସବୁ ବସିବେ କେଉଁଠି ?

 

ବଗିଚାରେ ମୁଁ ସବୁ ଆୟୋଜନ କରିଦେଇଛି । କେଡ଼େ ସୁନ୍ଦର ଜହ୍ନରାତି-ଥଣ୍ତା ହେବ । ରେଡ଼ିଓଟା ସେଇଠି ନେଇ ଫିଟ୍‌ କରାଇ ଦେଇଛି ।

 

ଧନ୍ୟବାଦ ! ଏତେ କାମ କଲୁ କେତେବେଳେ ଲୋ ?

ଆପଣ ଦିପହରଯାକ ବୁଲୁଛନ୍ତି, ମୁଁ ଏଇ କାମ କରୁଛି ।

ମୋର ଜନ୍ମଦିନ, ଆପଣଙ୍କର ଜନ୍ମଦିନ ତ ନୁହେଁ । ଯାଆନ୍ତୁ ଆପଣ ପଦାକୁ ।

 

ରାଜୁ ଚାଲିଗଲା । ଶାନ୍ତି ଆର ଦରଜା ବାଟେ ଘରେ ପଶି ପଚାରିଲା, ଗୀତ ବନ୍ଦ କଲୁ କାହିଁକି ମିନି ?

ମିନତି ତା’ର ହାତ ଧରିନେଇ ପାଖରେ ବସାଇ ହସି ହସି କହିଲା, ତୋତେ ଦେଖି ପରା-। ତୁ ଗୋଟିଏ ଗୀତ ବୋଲ । ତୋ କଣ୍ଠଟି ମୋତେ ଭାରି ଭଲ ଲାଗେ ଶାନ୍ତି ! ବୋଲ-

ନାଇଁ, ହେମ ଆସୁ ବୋଲିବ ।

ମାଉସୀ ମଉସା କାହାନ୍ତି ?

ମିନତି କହିଲା, ତୁ ଯେଉଁ ଚିଠିଖଣ୍ତ ମୋପାଇଁ ଲେଖିଥିଲୁ ସେ ଖଣ୍ତ କୁଆଡ଼େ ହଜିଯାଇଥିଲା ଲୋ, ଆଜି ଖୋଜି ଖୋଜି ଦିପହରେ ଭାଇଙ୍କ ଛାତି ପକେଟରୁ ବାହାର କଲି । ନେ-ଅଣ୍ଟାରୁ କାଗଜଖଣ୍ତି କାଢ଼ିଲା ।

ଶାନ୍ତି ପଚାରିଲା, ତୋ ଭାଇଙ୍କ ପକେଟକୁ ଗଲା କେମିତି ?

କେଜାଣି.....

ଶାନ୍ତି କାଗଜଖଣ୍ଡି ଧରି ପୁଣି ପଚାରିଲା, ତୁ ପରା କାହାପାଖକୁ ଦେଉଥିଲୁ ?

ଦେଲି ନାହିଁ । ଭାବିଲି, ତୋରିପରି ଯଦି ମୁଁ ମନରେ ଜୋର୍‌ ଆଣିପାରେ, ଜୀବନରେ ଦୁଃଖ ଆସିବ ନାହିଁ । ମଣିଷ ଦୁର୍ବଳ ମୁହୂର୍ତ୍ତରେ ଅନ୍ୟଆଡ଼କୁ ଟିକିଏ ଢଳି ପଡ଼େ ସତ, ତା’ ବୋଲି ମନରେ ଗୋଟାଏ ଆଶା ବାନ୍ଧିବ କାହିଁକି ? ଯାହା ହେବାର ହୋଇଯାଉ । ଯେ କୌଣସି ଅବସ୍ଥାରେ ନିଜକୁ ଚଳାଇ ନେଇପାରିଲେ ହେଲା ।

ଶାନ୍ତି କହିଲା, ଏତେ ଦିନକେ ଶିଖିଲୁ ପରା ! ମୁଁ ସେଇଆ ଜାଣେ ଲୋ ମିନି ।

ତୁ ଠିକ୍‌ ଜାଣୁ । ଏଥର ଗୋଟାଏ ଗୀତ ବୋଲ ।

 

ଶାନ୍ତି ଚିଠିଖଣ୍ଡ ଟିକି ଟିକି କରି ଚିରି ଝରକା ବାଟେ ପଦାକୁ ପକାଇ କହିଲା, ମୋତେ ଗୀତ ବୋଲିବାକୁ ଭଲ ଲାଗୁ ନାହିଁ । ହେମ ଆସୁ ବୋଲିବ ଆ, ଗପ କରିବା ।

 

କେବେଠୁଁ ଏତେ ଗପପ୍ରିୟ ହେଲୁ ମ ?

 

ସେଦିନ କହିଥିଲୁ, ମୋତେ ଗୋଟିଏ କଥା କହିବୁ ବୋଲି; ଆଜି ନ କହିଲେ ଛାଡ଼ିବି ନାହିଁ ।

 

କେଉଁ କଥା ?

 

ମିନି, ସତ କହିଲୁ କାହା ଅଜାଣତରେ ତୋ ମନଟା କାହା ଆଡ଼କୁ ଢଳି ପଡ଼ିଥିଲା ?

 

ଆଜି କହିବି ନାହିଁ, ଆଉ ଦିନେ ।

 

କାହିଁକି, ମୁଁ କଅଣ ତୋର ବନ୍ଧୁ ନୁହେଁ ମିନି ? ମୋତେ କହିଲେ କଅଣ.....

 

ଭଉଣୀ, ଆଜି ଏ ଆନନ୍ଦ ବେଳରେ ଦୁଃଖର ସ୍ମୃତି ମନକୁ ଆଣିବା ଭଲ ନୁହେଁ ।

 

ଦୁଃଖର ସ୍ମୃତି ନୁହେଁ ତ, ସୁଖର ସ୍ମୃତି ।

ଭଉଣୀ, ଯଦି ମୁଁ କହେ ତୋରି ମନରେ ଦୁଃଖ ହେବ ।

ମୋ ମନରେ ଦୁଃଖ ହେବ ନାହିଁ ।

ଯଦି ତୋରି ମନର ମଣିଷ ଆଡ଼କୁ ମୋର ମନ ଢଳିଥାଏ, ଶୁଣିଲେ ତୁ ଖୁସି ହେବୁ ?

ମୋର କେହି ମନର ମଣିଷ ନାହିଁ ।

ଯଦି କହେ–

କହ, କହ ମିନି !

ଧୈର୍ଯ୍ୟଧରି ଶୁଣିପାରିବୁ ? ଯଦି କହେଁ ତୋର ବ୍ରଜବାବୁ ।

ବ୍ରଜବାବୁ !

ଶାନ୍ତି ଅବାକ୍‌ ହୋଇ ଚାହିଁ ରହିଲା ।

ହଁ ବ୍ରଜବାବୁ । ତାଙ୍କୁ ମୁଁ ଭଲପାଏ, ତାଙ୍କୁ–ତୋର ମନର ମଣିଷକୁ ।

ସେ ମୋର କିଛି ନୁହନ୍ତି ।

ହେବାକୁ ଯାଉଛନ୍ତି, ଡେରି ନାହିଁ ।

 

ଶାନ୍ତି ନୀରବ ରହିଲା । ଆଖିରେ ତା’ର ଲୁହ ଢଳ ଢଳ ହେଲା । କହିଲା, ସେ କଅଣ ତୋତେ ଭଲପାଆନ୍ତି ମିନି ?

 

ମୁଁ ଜାଣେ ନାହିଁ । ବୋଧହୁଏ ନୁହେଁ; କିନ୍ତୁ ଭଉଣୀ, ତୁ କାନ୍ଦୁଛୁ କାହିଁକି ? ଆଜି ଏ ଶୁଭ ରାତିରେ ତୋ ଆଖିରେ ଲୁହ ଦେଖି ମୋର ଛାତି ଭିତର ଜଳିଯାଉଛି ଶାନ୍ତି । ତୋ ମନରେ ଦୁଃଖ ହେବ ବୋଲି କହୁ ନ ଥିଲି ଆଜିଯାଏଁ ।

 

ଶାନ୍ତି ଆଖିରୁ ଲୁହ ପୋଛିଲା ।

ନ କହିଥିଲେ ବରଂ ଭଲ ହୋଇଥାନ୍ତା ।

 

ମୋତେ ତୁ ବାଧ୍ୟ କଲୁ କାହିଁକି ? ଶାନ୍ତି, ଭଉଣୀ, ତୁ କାନ୍ଦୁଛୁ ? ବ୍ରଜବାବୁଙ୍କୁ ଦିନେ ଭଲ ପାଇଥିଲି, ଭାବିଥିଲି ତାଙ୍କୁ ପାଇଲେ ମୁଁ ସୁଖୀ ହୋଇ ପାରିବି; କିନ୍ତୁ ସେ ଦିନ ମୋତେ ଯାହା ଶିଖାଇଲୁ ଭଉଣୀ, ମୋର ମନ ବଦଳି ଗଲା । ବର୍ତ୍ତମାନ ବି ମୁଁ ତାଙ୍କୁ ଭଲପାଏ । କାଲି ଯେତେବେଳେ ସେ ତୋର ହାତ ଧରି ଘରକୁ ନେବେ, ମୁଁ ତାଙ୍କୁ ଆହୁରି କେତେ ଭଲପାଇବି । କାହିଁକି ଜାଣୁ ?

 

ଶାନ୍ତି ତା ମୁହଁକୁ ଚାହିଁଲା ।

 

ମିନତି ହସି ହସି କହିଲା, ତାଙ୍କୁ ମୁଁ ଭଲପାଇବି, ମୋର ପ୍ରାଣର ବନ୍ଧୁ ଶାନ୍ତିର ସ୍ୱାମୀରୂପେ-ଠିକ୍‌ ମୋର ରାଜୁଭାଇ ପରି । ମନ ସିନା ଢଳି ଆସେ ଜଣକ ଆଡ଼କୁ, ସେ ମନରେ ଯଦି ଲାଳସା ନ ଥାଏ, କଳ୍ପନା ନ ଥାଏ, ତେବେ ତ ସଂସାର କେଡ଼େ ଆନନ୍ଦରେ ଚାଲେ ।

 

ଶାନ୍ତି ନୀରବ ରହିଲା ।

 

ମିନତି ତା’ର ଚିବୁକ ଧରି କହିଲା, କାନ୍ଦନା ଭଉଣୀ, ତୋ ଆଖିରେ ଲୁହ ଦେଖି ମନରେ ମୋର ଦୁଃଖ ହେଉଛି । ତୁ କଅଣ ଭାବୁଛୁ ମୁଁ କେବେ ତୋର ମନର ମଣିଷ ଆଡ଼କୁ ଅନ୍ୟ ଆଖିରେ ଅନାଇବି ?

 

ଶାନ୍ତି ତା’ର ବାହୁଲତା ଦିଓଟି ମିନତିର ବେକରେ ବେଢ଼ାଇ କହିଲା, ମିନି, ଭଉଣୀ ଭାବନା ମୁଁ କାନ୍ଦୁଛି ମୋ ପାଇଁ । ଜାଣୁ, ମନରେ ମୋର କାହାରି ସ୍ଥାନ ନାହିଁ । କାହାକୁ କେବେ ସ୍ଥାନ ଦେଇନାହିଁ । ତଥାପି, କାହିଁକି ତୋର ଆନନ୍ଦରେ ବାଧା ଦେଇ ତୋର ଆଶା-ଆକାଙ୍‌କ୍ଷାର ମଝିରେ ବାଡ଼ ହୋଇ ଠିଆ ହେବି ? ବଜ୍ରବାବୁଙ୍କୁ ମୁଁ ଭଲପାଏ ନାହିଁ, ବ୍ରଜବାବୁଙ୍କୁ ମୁଁ ଘୃଣାକରେ ନାହିଁ । ତାଙ୍କୁ ସ୍ୱାମୀରୂପେ ପାଇଲେ ମୁଁ ସୁଖୀ ହୋଇପାରେ; କିନ୍ତୁ ନ ପାଇଲେ ତ ଦୁଃଖୀ ହେବି ନାହିଁ ! ତୋର ଆଶାଟା ଭାଙ୍ଗିବ କାହିଁକି ? ସମସ୍ତେ ଜାଣନ୍ତି ଶାନ୍ତିଟା ଓଲୁ ମଣିଷ । ବାପା ଯାହା କରିବେ, ନୀରବରେ ସ୍ୱୀକାର କରିଯିବି; କିନ୍ତୁ ମିନି, ତୋ ମନରେ ଦୁଃଖ ଦେଇ ମୁଁ ବ୍ରଜ ବାବୁଙ୍କୁ ବାହା ହେବାକୁ ଚାହେଁ ନାହିଁ । ମୁଁ ଏ କଥା ବୋଉକୁ କହିବି ।

 

ଗୋଟିଏ ପାଖରୁ ହେମ ଓ ଆର ପାଖରୁ ବ୍ରଜବାବୁ ଆସି ପହଞ୍ଚିଲେ । ସେମାନଙ୍କୁ ଦେଖି ଅସ୍ତବ୍ୟସ୍ତ ହୋଇ ମିନତି ଓ ଶାନ୍ତି ଉଠି ଠିଆହେଲେ ।

 

ହେମ ଶାନ୍ତି ପାଖକୁ ଆସି ହସି ହସି କହିଲା, ଭାରି ଗୁପ୍ତରେ କଅଣ ମିନି କାନରେ କହୁଥିଲୁ ଶାନ୍ତି ।

 

ଶାନ୍ତି ଉତ୍ତର ଦେବା ଆଗରୁ ମିନତି କହିଲା, ତୋରି କଥା ତ । ଏତେବେଳଯାଏଁ ଆସି ନ ଥିଲୁ କାହିଁକି ଶୁଣେ –

 

କାର୍‌ଟା କଅଣ ଖରାପ ହୋଇଯାଇଥିଲା, ସଜାଡ଼ି ଆସୁ ଆସୁ ଡେରି ହୋଇଗଲା ।

 

ମିନତି ବ୍ରଜବାବୁଙ୍କୁ ଦେଖି ପାଖକୁ ଯାଇ ପ୍ରଣାମ କଲା । କହିଲା, ଆପଣଙ୍କ ପାଇଁ ବାହାରେ ବଗିଚାରେ ବସିବାକୁ ଆୟୋଜନ ହୋଇଛି ।

 

ସତେ ? ମୁଁ ଜାଣି ନ ଥିଲି । ଏଠି ଟିକେ ଠିଆ ହେଲେ କଅଣ ଆପତ୍ତି ଅଛି ?

ମୋର ନାହିଁ; କିନ୍ତୁ କାଳେ ଶାନ୍ତି ସଂକୁଚିତା ହେବ ।

 

ତୁ ହେବୁ ନାହିଁ ତ ? ଯଦି ଶାନ୍ତିର ଅସୁବିଧା ହେଉଛି ବୋଲି ତୋର ଆପତ୍ତି, ତୁ ମଝିରେ ଠିଆ ହୋଇପାରୁ ।

 

ମଝିରେ ମୁଁ ଠିଆ ହେବି ନାହିଁ, ଠିଆ ହୋଇପାରିବି ନାହିଁ ।

 

ବ୍ରଜ କହିଲା, ମୁଁ ଯାଉଛି ପଦାକୁ । ପଦାର ମଣିଷ, ପଦାରେ ରହିବା ଭଲ । ଠିଆହୋଇ ଭାବୁଥିଲି, ଫଟୋଟା ପୁଣି କିଏ ସେଠି ଟାଙ୍ଗିଲା ।

 

ଭାଇ ହୋଇଥିବେ । ଆପଣ ପଦାକୁ ଯାଆନ୍ତୁ ।

ନିମନ୍ତ୍ରଣ କରି ଅପମାନ ଦେବାର ହେତୁ କଅଣ, ମିନି ?

ଇଏ କଅଣ ଅପମାନ ? ମୋତେ କ୍ଷମା କରନ୍ତୁ । ଆପଣ ବସନ୍ତୁ ।

କ୍ଷମା ! ମୋର ଜାତକରେ ନାହିଁ । ଏ ଅପମାନର ପ୍ରତିଶୋଧ ନେବି ।

ସହକାରର ପୃଷ୍ଠାରେ ?

 

ଉତ୍ତର ନ ଦେଇ ବ୍ରଜବାବୁ ପ୍ରସ୍ଥାନ କଲେ । ଶାନ୍ତି, ମିନି ଓ ହେମ ପାଖାପାଖି ବସିଲେ । କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । କେତେବେଳେ ହେମ ମୁହଁ ଟେକି କହିଲା, ମିନି, ତୁ ଭାଇଙ୍କୁ ଏମିତି ବିରକ୍ତ କଲୁ କାହିଁକି ? ସେ ରାଗିଗଲେ ।

 

ମୁଁ ତାଙ୍କୁ କିଛି କହିନାହିଁ, ବରଂ କ୍ଷମା ମାଗିଲି ।

 

ହେମ କହିଲା, ମୋତେ ଭାରି ଖରାପ ଲାଗିଲା । ମିନିର ବ୍ୟବହାରଟା କଅଣ ତୁ ପସନ୍ଦ କଲୁ ଶାନ୍ତି ?

 

ଶାନ୍ତି ହସି କହିଲା, କହିଲୁ ମିନି, ଏହାର କି ଉତ୍ତର ଦେବି ?

ମିନତି କହିଲା, ତୁ ବି କହ ଶାନ୍ତି, ତୋତେ ଭାରି ଖରାପ ଲାଗିଲା ।

ସେ କଥା ମୁଁ କହିପାରିବି ନାହିଁ ।

ତେବେ କହ, ତୁ ପସନ୍ଦ କଲୁ ।

କହିପାରିବି ନାହିଁ; କିନ୍ତୁ ବୁଝିଲି, ସେ ପସନ୍ଦ କଲେ ।

ମିନତି କହିଲା, ସତେ ? ସେ-ଓ, ନା ଧରିବୁ ନାହିଁ ପରା ! ଆଜିଠୁଁ ?

ହେମର ଗମ୍ଭୀର ମୁହଁ ଉଜ୍ଜ୍ୱଳ ହେଲା ।

ଶାନ୍ତି କହିଲା, ଠିକ୍‌ ନା ଧରିବି ନାହିଁ । ଆଜି ନୁହେଁ କି କେବେ ନୁହେଁ ।

ହେମ କହିଲା, ଶାନ୍ତି ତୋର କଅଣ ମୁହଁ ଖୋଲିଲାଣି । ମିନିଠୁ ଶିଖିଛୁ କି ଲୋ ?

ହଁ ଶିଖିଛି, ଆଜି ଶିଖିଲି । ଏଥର ମୁହଁ ଖୋଲିବାକୁ ହେବ ।

ହେମ ପଚାରିଲା, ଆମରି ଆଗରେ ପରା ?

ମିନତି ଛଳେଇ କହିଲା, ତୋରି ଆଗରେ- ବେଳ ପାଖେଇ ଆଇଲା ।

 

ରାଜୁ ଦ୍ୱାର ମୁହଁରେ ଠିଆହେଲା । ତାକୁ ଦେଖି ହେମ ଓ ଶାନ୍ତି ଦୁହେଁ ମୁଣ୍ଡ ଉପରକୁ ଲୁଗା ଟାଣିଲେ । ରାଜୁ କହିଲା, ମିନି ଟେବୁଲ ଡ୍ରୟରରେ ଛୁରିଟା ଅଛି, ଦେ ତ ?

 

ତୁମେ ନେଇଯାଅ ।

ତୁ ଦେ, ବଡ଼ ଜରୁରୀ କାମ ଅଛି ।

ମୁଁ ତୁମର ଚାକର ନୁହେଁ, ଏ ଘରେ ତ ଆଉ ଦି ଜଣ ଅଛନ୍ତି, ମାଗୁନା କାହାକୁ ।

ରାଜୁ ତୁନି ରହିଲା ।

ଲାଜ ମାଡ଼ୁଛି ପରା ! ଆଚ୍ଛା, ହେମକୁ ମାଗିବାକୁ ସିନା ଲାଜ, ଶାନ୍ତିକି ?

କାହିଁକି ଲାଜ ମାଡ଼ିବ ? ହେମ, ଦେ ତ ଛୁରିଟା ।

ତୁମକୁ ଦେଖି ତ ସେ ଲାଜରେ ମରିଯାଉଛି । ତୁ ଦେ ଲୋ ଶାନ୍ତି ।

 

ହେମ ଉଠିଯାଇ ଟେବୁଲ ଡ୍ରୟରଟା ଟାଣି କହିଲା, ଛୁରିଟା ଦେବାରେ ଲାଜର କଥା କଅଣ ଅଛି ?

 

କେଜାଣି କାହିଁକି ହାତଟା ଥରିଉଠିଲା ଡ୍ରୟର ଭିତରେ । ଧୀରେ ଧୀରେ ଛୁରିଟି କାଢ଼ି ରାଜୁ ହାତକୁ ବଢ଼ାଇ ଦେଲା । ରାଜୁ ଚାଲିଗଲା ।

 

ମିନତି କହିଲା, ଦେଖିଲୁ ଶାନ୍ତି, ଦେଖିଲୁ ମୋର ଭାବୀ-

 

ହେମ କହିଲା, ଚୋପ୍ । ଡ୍ରୟର ପାଖ ଚଉକିରେ ବସି ଡ୍ରୟର୍‌ଟା ଆଉ ଟିକେ ଟାଣି ଆଣିଲା । ବିଜୁଳି ଆଲୁଅ ଭିତରେ ପଡ଼ିବାରୁ ହଠାତ୍‌ କାହିଁକି ତା’ର ଆଖିର ଆଲୁଅ ନିଷ୍ପ୍ରଭ ହୋଇଆସିଲା ।

 

ଶାନ୍ତି ପଚାରିଲା, କଅଣ କି ହେମ ?

ମିନତି ପଚାରିଲା, କଅଣ କି ?

କିଛି ନାହିଁ ।

ଜୋରରେ ଡ୍ରୟର୍‌ଟା ସେ ଠେଲିଦେଲା ଭିତରକୁ ।

ଶାନ୍ତି ପଚାରିଲା, କଅଣ ଦେଖିଲୁ ଯେ-

ଫଟୋ ।

ଦେଖେଁ, କାହାର ଫଟୋ ?

ମିନତି କହିଲା, ଦେଖେଁ ?

ହେମ ଉତ୍ତର ଦେଲା, ତୁ ଦେଖୁନୁ ।

 

ହେମ ଉଠିଆସିଲା ଚଉକିରୁ । ଶାନ୍ତି ଆଗ୍ରହରେ ଉଠିଯାଇ ଡ୍ରୟର୍‌ ଟାଣି ଫଟୋଟିକୁ ଉଠାଇ ଆଣିଲା । ଚମ୍ପାଫୁଲ ମାଳଟି ଖସିପଡ଼ିଲା ତଳେ ।

 

କାହାର ଫଟୋ ଶାନ୍ତି ?

ମୋର ।

 

ମିନତି ଆଗ୍ରହରେ ଉଠିଯାଇ ଶାନ୍ତି ହାତରୁ ଫଟୋ ଖଣ୍ଡ ଟାଣି ଆଣିଲା । ବିରକ୍ତ ହୋଇ କହିଲା, ଏଠି ଆଣି ରଖିଛନ୍ତି । ଦିପହରଯାକ ଖୋଜି ଖୋଜି ମୁଁ ନୟାନ୍ତ ।

 

ଆଚ୍ଛା କହ ତ ହେମ, କହ ତ ଶାନ୍ତି, ଭାଇଙ୍କର ଏଟା କେଡ଼େ ଅନ୍ୟାୟ । ସବୁଦିନେ ମୋ ଘରେ ଚୋରପରି ପଶି ଶାନ୍ତିର ଫଟୋଟା ଚୋରିକରି ଆଣନ୍ତି ।

 

ଖୋଜି ଖୋଜି କେଉଁଦିନ ତାଙ୍କ ବହି ଥାକରୁ ବାହାରେ, କେବେ ପୁଣି ତକିଆ ତଳୁ । ଆଜି ଡ୍ରୟରରେ ବନ୍ଦ କରି ରଖିଥିଲେ । ପୁଣି ଫୁଲମାଳ ଦିଆହୋଇଛି । ଯେତେ କଜିଆ କଲେ କଅଣ ସେ ଶୁଣନ୍ତି ନା ମାନନ୍ତି ?

 

ଶାନ୍ତିର ମୁହଁରେ ଝାଳବିନ୍ଦୁ ଫୁଟି ଉଠିଲା । ସେ ନୀରବରେ ପିଆନୋ ପାଖକୁ ଘୁଞ୍ଚିଗଲା-। ହେମର ଦୁଇ ଆଖି ବିସ୍ମୟରେ ବିସ୍ଫାରିତ ହେଲା ।

 

ଶାନ୍ତି, ତୁ ମୋତେ ଆଉ ଖଣ୍ଡେ ଫଟୋ ଦେବୁ ଭଉଣୀ ? ଏ ଖଣ୍ଡ ଭାଇ ରଖନ୍ତୁ । କେତେ ଆଉ ତାଙ୍କ ସଙ୍ଗେ ଲୁଚକାଳି ଖେଳିବି ଛାର ଫଟୋଟା ପାଇଁ ।

 

ସୁନୀତି, ରୋହିଣୀ, ରେଣୁକା ହସି ହସି ପ୍ରବେଶ କଲେ । ରୋହିଣୀ ମିନତି ପାଖକୁ ଆସି କହିଲେ, କଅଣ ଲୋ ପାଗଳି, କାହିଁକି ଏତେ ପାଟି କରୁଛୁ ?

 

ଲାଜରେ ମିନତିର ମୁହଁ ରଙ୍ଗା ପଡ଼ିଗଲା । ରେଣୁକା ତା ହାତରୁ ଫଟୋଟି ନେଇ ଦେଖିଲେ ।

 

ସୁନୀତି କହିଲେ, ଛାଡ଼ ସେ ଉଦ୍ଦଣ୍ଡୀ କଥା । କେଜାଣି କାହିଁକି ରାଜୁ ଉପରେ ରାଗୁଥିଲା-। ଭାଇ ଭଉଣୀଙ୍କର ଦଣ୍ଡେ ପଡ଼ିଲା ନାହିଁ ।

 

ମିନତି କହିଲା, ତୁ ତ ସବୁବେଳେ ମୋରି ଦୋଷ ଦେବୁ । ତୋ ପୁଅ ଏଡ଼େ ଚୋର ଯେ, ମୋ ଘରୁ ଶାନ୍ତିର ଫଟୋଟା ଆଣି ଡ୍ରୟର୍ ଭିତରେ ଲୁଚାଇ ରଖିଛନ୍ତି, ପୁଣି ଫୁଲମାଳ ଦେଇ-

 

ରେଣୁକା ବିସ୍ମୟରେ ପଚାରିଲେ, ସତେ ?

 

ମିନତି ଲାଜ ଲାଜ ହୋଇ କହିଲା, ପଚାରୁନା ତମ ଶାନ୍ତିକୁ । ସବୁଦିନେ ସେମିତି ସେ ଚୋରି କରନ୍ତି; ପଚାରିଲେ କଜିଆ କରନ୍ତି ଓଲଟି ।

 

ରୋହିଣୀଙ୍କର ମୁହଁ ଉଜ୍ଜ୍ୱଳ ଦେଖାଗଲା । ସେ ଫଟୋଟି ଆଣି ସୁନୀତିଙ୍କ ଆଗରେ ଧରି କହିଲେ, ଦେଖିଲ, ଦେଖିଲ, ଶାନ୍ତିଟି କେଡ଼େ ସୁନ୍ଦର ।

 

ସୁନୀତି ଆଗ୍ରହରେ କହିଲେ, ଫଟୋଟାକୁ ଦେଖିବ କାହିଁକି ? ଆଇଲୁ ମା, ତୋତେ ଦେଖେଁ । ଶାନ୍ତିର ହାତ ଧରି ପାଖକୁ ଆଣିଲେ । ଶାନ୍ତି ଲାଜ ଲାଜ ହୋଇ ମୁଣ୍ଡରେ ଲୁଗାଦେଇ ପାଖରେ ଠିଆହେଲା ।

 

ରୋହିଣୀ କହିଲେ, ଥାଉ ଲୋ ଥାଉ, ଲାଜକୁଳୀ ଲତାଟା ସେ, ଲାଜରେ ଝାଉଁଳି ପଡ଼ିଲା-। ରଖିବୁ ତ ଚିରଦିନ ତାକୁ ।

 

ଆଖିରେ ଲୁହ ଭରିଗଲା । ରେଣୁକାଙ୍କ ମୁହଁକୁ ଚାହିଁ ପଚାରିଲେ, ତୁମର ଆପତ୍ତି କଅଣ-?

 

ରେଣୁକା ହସିଲେ ।

 

ରୋହିଣୀ କହିବାକୁ ଲାଗିଲେ, ମୁଁ କଅଣ ଭାବୁଛି ଜାଣୁ ? ଏଇ ଉଦ୍ଦଣ୍ଡୀ ମିନିଟା କଥା ।

 

ମିନିର ହାତଧରି ପାଖକୁ ଆଣି କହିଲେ, ମୋରି କୋଳ ଛଡ଼ା ସେ ଆଉ କେଉଁଠି ଚଳିପାରିବ ନାହିଁ ।

 

ମିନତିର ଲଜ୍ଜାନତ ମୁହଁଟି ଛାତିକୁ ଆଉଜାଇ ନେଲେ । କହିଲେ, ଆଜିଠୁଁ ଏ ମୋର, ସୁନୀତି !

 

ଆଗ୍ରହରେ ରୋହିଣୀ ତା’ର ମୁଣ୍ଡରେ ମୁଣ୍ଡ ଲଗାଇଲେ ।

 

କଟକ

୧୭-୬-୧୯୩୯

Image